୧ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ଏବେ ଦୁର୍ବଳ ହେଉଛି ମୌସୁମୀ। ତେଣୁ ବର୍ଷାର ପରିମାଣ କମିଯାଇଛି। ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ହେଉଛି। ତେବେ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନକୁ ଛାଡ଼ି ଦେଲେ ଅନ୍ୟଠି ପ୍ରବଳ ବର୍ଷା ହେବ ବୋଲି ଭବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ରବିବାର କୋରାପୁଟରେ ସର୍ବାଧିକ ୨୫ ମିମି ବର୍ଷା ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୧୪.୪, ପାରାଦୀପ ୯, ବାରିପଦା ୮.୬, ଭୁବନେଶ୍ୱରରେ ୫.୧ ମିମି ବର୍ଷା ରେକର୍ଡ କରାଯାଇଛି। ସୋମବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଜପତି, କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବ। ତେବେ ଜୁଲାଇ ୧ରୁ ବର୍ଷା ପରିମାଣ ବଢ଼ିବ। ଉକ୍ତ ଦିନ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଭଦ୍ରକରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପେଟ ରାଜ୍ୟରେ ଜୁନ୍‌ ୧ରୁ ୨୭ ମଧ୍ୟରେ ୧୭୪.୯ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ବାଭାବିକ ବର୍ଷା ୧୮୬.୧ ମିମିଠାରୁ ୬ ପ୍ରତିଶତ କମ୍‌ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହି ସମୟ ମଧ୍ୟରେ ବଲାଙ୍ଗୀର, ବୌଦ୍ଧ, ରାୟଗଡ଼ା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ୧୦ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଏହା ସ୍ବାଭାବିକ ବର୍ଷାଠାରୁ ୨୦ରୁ ୫୯% କମ୍‌ ରହିଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଆଦି ୭ଜିଲାରେ ସ୍ବାଭାବିକଠାରୁ ୨୦ରୁ ୫୯% ଯାଏ ଅଧିକ ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୨୫୭.୪ ମିମି ବର୍ଷା ହୋଇଥିବାବେଳେ ଗଞ୍ଜାମ ଜିଲାରେ ସର୍ବନିମ୍ନ ୭୯.୫ମିମି ବର୍ଷା ହୋଇଛି।

Share