ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଉତ୍ତରପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ଉପକୂଳ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଛି। ସୋମବାର ଏହା ଅବପାତ (ଡିପ୍ରେସନ)ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଲଘୁଚାପ ଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ସୋମବାର ସକାଳୁ ହାଲକା ବର୍ଷା ହେଉଥିବା ବେଳେ ଅପରାହ୍ନରୁ ବର୍ଷା ପରିମାଣ ବୃଦ୍ଧି ହୋଇଛି। ଖୋର୍ଦ୍ଧା, ପୁରୀ, କଟକ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୋଳ, କୋରାପୁଟ, ମାଲକାନଗିରି, ବରଗଡ, ଝାରସୁଗୁଡା ଆଦି ଜିଲାରେ ରାତି ତମାମ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଲଘୁଚାପ ଯୋଗୁ ଛତିଶଗଡରେ ପ୍ରବଳ ବର୍ଷା ହେଉଛି। ହୀରାକୁଦ ଜଳ ଭଣ୍ଡାର ଭିତରକୁ ବହୁ ପରିମାଣର ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଦୁଇଟି ଗେଟ ଯୋଗେ ପାଣି ନିଷ୍କାସନ କରାଯାଉଛି। ହୀରାକୁଦରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଜଳଭଣ୍ଡାରରେ ୬୨୮.୭୫ ପୁଟ ପାଣି ରହିଛି। ପ୍ରବଳ ବର୍ଷାକୁ ଦେଖି ଦୁଇଟି ଗେଟ ଦେଇ ୪୭ ହଜାର ୩୯୮ କ୍ୟୁସେକ ଜଳ ମହାନଦୀକୁ ଛଡା ଯାଉଛି।
ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ସୋନପୁରରେ ୧୪ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ନବରଙ୍ଗପୁର ୧୧, ଚନ୍ଦାହାଣ୍ଡି ୧୧, ରାୟଗଡା ୧୧, ଭଦ୍ରକ ୧୦, ମୟୂରଭଞ୍ଜ ୧୦, କେନ୍ଦୁଝର ୯, କଳାହାଣ୍ଡି ୯, ବାୈଦ୍ଧ ୭, ମାଲକାନଗିରି ୭, ଭଞ୍ଜନଗର ୬, ବଲାଙ୍ଗୀର ୬, ଗଞ୍ଜାମ ୬ ଏବଂ ଟିଟିଲାଗଡରେ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ନୂଆପଡା, ବରଗଡ, ଝାରସୁଗୁଡା ଏବଂ ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ପ୍ର୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ରେଡୱାର୍ନିଂ ଜାରି କରାଯାଇଛି। ସେହିପରି ଏହି ସମୟରେ କଳାହାଣ୍ଡି, ମାଲକାନଗିରି, କୋରାପୁଟ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋୱାର୍ନିଂ ଜାରି କରାଯାଇଛି। ଆସନ୍ତା ୨୩ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ। ଏହା ପରେ ଲଘୁଚାପ ଝାଡଖଣ୍ଡ ଦେଇ ଉତ୍ତର ଦିଗକୁ ଚାଲିଯିବା ସମ୍ଭାବନା ରହିଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ରେଡ ଏବଂ ଏଲୋଓ୍ବାର୍ନିଂ ଜାରି କରାଯାଇଥିବା ଜିଲାଗୁଡିକର ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share