୩୦ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୮।୭: ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଘନୀଭୂତ ହୋଇଛି। ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ସତର୍କ ସୂଚନା ଜାରି କରାଯାଇଛି।

ଏନେଇ ସ୍ବତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲାପାଳମାନଙ୍କୁ ସତର୍କ କରାଇଦେଇଛନ୍ତି । ୨୯ତାରିଖରେ କେନ୍ଦୁଝର, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।

ସେହିପରି ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ସମ୍ବଲପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଏବଂ କଟକରେ ପ୍ରବଳ ବର୍ଷା ହେବ। ୩୦ ତାରିଖରେ ସୁନ୍ଦରଗଡ଼, କେନ୍ଦୁୁଝର, ମୟୁରଭଞ୍ଜରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଦେବଗଡ଼, ଅନଗୋଳ, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡା, ଢେଙ୍କାନାଳରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ଏହି ସମୟରେ ସମୁଦ୍ରରେ ୪୦ରୁ ୫୦ କି.ମି ବେଗରେ ପବନ ବୋହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ବେଳେ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦିଆଯାଇଛି।