୪ ତାରିଖଯାଏ ବର୍ଷିବ

ଭୁବନେଶ୍ୱର,୩୧ା୭(ଅନୁରାଧା ମହାରଣା):ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଶନିବାର ଉତ୍ତର ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପର ରୂପ ନେବା ପରେ ବର୍ଷା ପରିମାଣ ବଢ଼ିଛି। ରବିବାର ସନ୍ଧ୍ୟା ସୁଦ୍ଧା ସମ୍ବଲପୁର ଜିଲାରେ ସର୍ବାଧିକ ୧୧୪.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ରେ ୧୧୨.୨ ମିମି, ଫୁଲବାଣୀରେ ୬୬.୦୦ ମିମି, ଦେବଗଡ଼ରେ ୬୩.୦ ମିିମି ଓ ସୋନପୁରରେ ୫୫.୦୦ ମିିମି ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ବିସ୍ତୃତ ବର୍ଷା ହେବାସହ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ଜୁଲାଇ ୩୧, ଅଗଷ୍ଟ ୧ ଓ ୨ରେ ରାଜ୍ୟରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
୩୧ ତାରିଖରେ ସମ୍ବଲପୁର, ବୌଦ୍ଧ, ନୟାଗଡ଼, ଅନୁଗୋଳ ଆଦି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିପାଇଁ ଏସବୁ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଜଗତ୍‌ସିଂହପୁର, ପୁରୀ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଆଦି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ ବିଜ୍ଞାନୀ ଏଚ୍‌. ଆର୍‌. ବିଶ୍ୱାସ କହିଛନ୍ତି, ଲଘୁଚାପ ପ୍ରଭାବରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ବିଶେଷକରି ୧ ଓ ୨ ତାରିଖରେ ବର୍ଷାର ପରିମାଣ ଅଧିକ ରହିପାରେ। ସେହିପରି ଭୁବନେଶ୍ୱରରେ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ ବର୍ଷା ହୋଇପାରେ। ୧ ତାରିଖରେ ପୁରୀ, ଜଗତ୍‌ସିଂହପୁର, ଢ଼େଙ୍କାନାଳ, ଅନୁଗୋଳ, ସମ୍ବଲପୁର ଆଦି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ସେସବୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Share