Categories: ଖେଳ

ବ୍ରାଜିଲକୁ ହରାଇଲା ଇଟାଲୀ

ବୁଏନ୍‌ସ ଏୟାର୍ସ,୨୩ା୫(ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ରେ ଦେଖିବାକୁ ମିଳିଛି ବଡ଼ ବିପର୍ଯ୍ୟୟ। ଦୁଇ ଟାଇଟଲ ଫେବରିଟ୍‌ ଦଳ ବ୍ରାଜିଲ ଓ ସେନେଗାଲ୍‌ ନିଜର ଓପ୍‌ନିଙ୍ଗ ଗେମ୍‌ରେ ପରାଜିତ ହୋଇଛନ୍ତି। ରବିବାର ଇଟାଲୀ, ଜାପାନ, ନାଇଜେରିଆ ଓ କଲମ୍ବିଆ ନିଜ ନିଜ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ଇଟାଲୀ ବ୍ରାଜିଲକୁ ୩-୨ରେ ହରାଇଥିବା ବେଳେ ଜାପାନ ୧-୦ ଗୋଲରେ ସେନେଗାଲକୁ ହରାଇଛି। ଅନ୍ୟ ଦୁଇ ମ୍ୟାଚ୍‌ରେ ନାଇଜେରିଆ ଓ କଲମ୍ବିଆ ଯଥାକ୍ରମେ ଡୋମିନିକାନ୍‌ ରିପବ୍ଲିକ୍‌ ଓ ଇସ୍ରାଏଲକୁ ୨-୧ଗୋଲ୍‌ରେ ପରାସ୍ତ କରିଛନ୍ତି।
ଗ୍ରୁପ୍‌ ଡି’ ମ୍ୟାଚ୍‌ରେ ଇଟାଲୀ ଆରମ୍ଭରୁ ଅଗ୍ରଣୀ ହାସଲ କରିଥିଲା ୧୧ତମ ମିନିଟ୍‌ରେ ମାଟ୍ଟେଓ ପ୍ରାଟ୍ଟି ଇଟାଲୀ ପାଇଁ ପ୍ରଥମ ଗୋଲ ଦେଇଥିଲେ। ତେବେ ସିଜର କାସାଡେଇ(୨୭ ଓ ୩୫ ମିନିଟ) ଦୁଇଟି ଗୋଲ ସ୍କୋର କରିବା ସହିତ ପ୍ରଥମାର୍ଦ୍ଧରେ ଦଳକୁ ୩-୦ରେ ଆଗୁଆ କରିଥିଲେ। ବ୍ରାଜିଲ ପକ୍ଷରୁ ମାର୍କୋସ୍‌ ଲିଓନାର୍ଡୋ ଦୁଇଟି (୭୨ ଓ ୮୭ ମିନିଟ୍‌) ଗୋଲ ସ୍କୋର କରିଥିଲେ ହେଁ ଦଳକୁ ବିଜୟୀ କରିପାରି ନ ଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଜାପାନ ୧-୦ରେ ସେନେଗାଲକୁ ପରାସ୍ତ କରିଥିଲା। ଜାପାନ ପକ୍ଷରୁ ଷ୍ଟ୍ରାଇକର କୁର୍ୟୁ ମାଟସୁକୀ ୧୫ତମ ମିନିଟରେ ଗୋଲ ସ୍କୋର କରିଥିଲେ। ନାଇଜେରିଆ ୨-୧ ଗୋଲରେ ଡୋମିନିକାନ୍‌ ଅଫ୍‌ ରିପବ୍ଲିକକୁ ପରାସ୍ତ କରିଥିଲା। ଏଡିସନ୍‌ ଆଜାକୋନା ୨୩ତମ ମିନିଟରେ ଡୋମିନିକାନ୍‌ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ତେବେ ୩୧ତମ ମିନିଟରେ ଗୁଲେର୍ମୋ ଡେ ପାନା ଓ ୭୦ତମ ମିନିଟରେ ସାମସନ୍‌ ଆଡେନିରାନ୍‌ ଲାଓ୍ବାଲଙ୍କ ଗୋଲ ବଳରେ ନାଇଜେରିଆ ବିଜୟୀ ହୋଇଥିଲା। ଗ୍ରୁପ୍‌ ସି’ର ଏକ ମ୍ୟାଚ୍‌ରେ ଇସ୍ରାଏଲ୍‌ ବିପକ୍ଷରେ କଲମ୍ବିଆ ବିଜୟୀ ହୋଇଥିଲା।

Share