Categories: ଖେଳ

ଇଟାଲୀ, ଉରୁଗୁଏ ଫାଇନାଲରେ

ଲା ପ୍ଲାଟା(ଆର୍ଜେଣ୍ଟିନା),୧୦ା୬(ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟବଲ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି ଇଟାଲୀ ଓ ଉରୁଗୁଏ। ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଇଟାଲୀ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ଏବଂ ଉରୁଗୁଏ ୧-୦ ଗୋଲରେ ଇସ୍ରାଏଲକୁ ପରାସ୍ତ କରିଛି। ଉଭୟ ମ୍ୟାଚ୍‌ ଲା ପ୍ଲାଟାର ୟୁନିକୋ ଡିଏଗୋ ଆର୍ମାଣ୍ଡୋ ମାରାଡୋନା ଷ୍ଟାଡିୟମରେ ଖେଳାଯାଇଥିଲା। ଉଭୟ ଫାଇନାଲ ଓ ତୃତୀୟ ସ୍ଥାନ ମ୍ୟାଚ୍‌ ରବିବାର ଅନୁଷ୍ଠିତ ହେବ। କ୍ରମାଗତ ତୃତୀୟ ଥର ସେମିଫାଇନାଲରେ ପହଞ୍ଚିଥିବା ଇଟାଲୀ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ୧୯୯୭ ଓ ୨୦୧୩ ପରେ ତୃତୀୟ ଥର ଫାଇନାଲରେ ପ୍ରବେଶ କରିଛି ଉରୁଗୁଏ।
ଇଟାଲୀ ଓ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ରହିଥିଲା। ପ୍ରାୟ ୨୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଉଭୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲେ। ଇଟାଲୀ ଗୋଲ୍‌କିପର ସେବାଷ୍ଟିଆନୋ ଡେସପ୍ଲାଞ୍ଚେସ୍‌ ଓ ଦକ୍ଷିଣ କୋରିଆର ଗୋଲ କିପର କିମ୍‌ ଜୁନ୍‌ ହଙ୍ଗ ଆରମ୍ଭରୁ ଶେଷ ଯାଏ ଚମତ୍କାର ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ର ୧୪ତମ ମିନିଟରେ ଟୁର୍ନାମେଣ୍ଟର ଟପ୍‌ ସ୍କୋର ସିଜର୍‌ କାସେଡାଇ ଏକ ଗୋଲ ସ୍କୋର କରିଥିଲେ। ୩ ଜଣ କୋରିଆ ଡିଫେଣ୍ଡରଙ୍କୁ ମାତ ଦେଇ ସେ ବକ୍ସ ବାହାରୁ ଗୋଲ ସ୍କୋର କରିଥିଲେ। ଚଳିତ ଟୁର୍ନାମେଣ୍ଟରେ ଏହା ତାଙ୍କର ସପ୍ତମ ଗୋଲ ଥିଲା। ଏହାର ୯ ମିନିଟ ପରେ ଦକ୍ଷିଣ କୋରିଆକୁ ମିଳିଥିବା ସ୍ପଟ୍‌ କିକ୍‌ରୁ ଗୋଲ୍‌ ସ୍କୋର କରିଥିଲେ ଲି ସେଉଙ୍ଗ ଓନ୍‌। ଭିଡିଓ ରେଫରାଲରୁ କୋରିଆକୁ ଏକ ସ୍ପଟ୍‌ କିକ୍‌ ପ୍ରଦାନ କରାଯାଇଥିଲା। ଉଭୟ ଦଳ ପକ୍ଷରୁ ଗୋଲ ସ୍କୋରର ପ୍ରୟାସ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ତେବେ ୮୬ ତମ ମିନିଟରେ ଇଟାଲୀକୁ ମିଳିଥିବା ଫ୍ରି କିକ୍‌କୁ ଗୋଲରେ ପରିଣତ କରିଥିଲେ ସବଷ୍ଟିଚ୍ୟୁଟ୍‌ ଖେଳାଳି ସିମୋନ୍‌ ପାଫୁଣ୍ଡି। ଗ୍ରୁପ୍‌ ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିଥିବା ଇଟାଲୀ ନକ୍‌ଆଉଟରେ ଇଂଲଣ୍ଡ ଓ କଲମ୍ବିଆ ପରି ଦଳକୁ ପରାସ୍ତ କରିଥିଲା।
ଦ୍ୱିତୀୟ ସେମି ଫାଇନାଲରେ ଉରୁଗୁଏ ୧-୦ ଗୋଲରେ ଇସ୍ରାଏଲକୁ ପରାସ୍ତ କରିଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ପ୍ରଥମ ଥର ସେମିରେ ପହଞ୍ଚିଥିବା ଇସ୍ରାଏଲ ଦମଦାର ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ୬୧ ତମ ମିନିଟରେ ଆଣ୍ଡରସନ୍‌ ଡୁଆର୍ଟେଙ୍କ ଗୋଲ ବଳରେ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା ଉରୁଗୁଏ। ଆଲାନ ମାଟ୍ଟୁରୋଙ୍କ ଶଟ୍‌କୁ ଇସ୍ରାଏଲୀ ଗୋଲକିପର ଟୋମେର ଜାର୍ଫାଟି ଅଟକାଇ ଥିବାବେଳେ ଆଣ୍ଡରସନଙ୍କ ରିଟର୍ନ ଶଟ୍‌ ବଳରେ ଗୋଲ ହୋଇଥିଲା।

Share