ମର୍ମନ୍ତୁଦ ଦୁର୍ଘଟଣା: ବ୍ରିଜ୍‌ରୁ ଖସିଲା ବସ୍‌, ୨୧ ମୃତ

ରୋମ,୪।୧୦: ଇଟାଲୀର ଭେନିସରେ ମଙ୍ଗଳବାର ଏକ ବ୍ରିଜ୍‌ରୁ ଏକ ବସ୍‌ ଖସି ପଡିଛି। ବ୍ରିଜ୍‌ରୁ ଖସିଯିବା ପରେ ବସ୍‌ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ଦୁଇ ଶିଶୁ ଏବଂ ବିଦେଶୀ ସମେତ ମୋଟ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ସିଟି ମେୟର ଲୁଇଗି ବ୍ରୁଗନାରୋ ଫେସବୁକରେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭.୩୦ ବେଳେ ଯାତ୍ରୀବାହୀ ବସ୍‌ କ୍ୟାମ୍ପିଂ ଗ୍ରାଉଣ୍ଡ ଆଡକୁ ଯିବା ସମୟରେ ଓଭରବ୍ରିଜ୍‌ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତେବେ ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଦୁର୍ଘଟଣା ପୂର୍ବରୁ ୪୦ ବର୍ଷ ବୟସ୍କ ବସ୍‌ ଡ୍ରାଇଭର ଅସୁସ୍ଥ ଥିଲେ।

ଭେନିସ ଅଞ୍ଚଳର ଗଭର୍ନର ଲୁକା ଜାୟା କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟା ୨୧ ଏବଂ ୨୦ ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତଦେହ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି। ପୀଡିତ ଏବଂ ଆହତଙ୍କ ମଧ୍ୟରେ କେବଳ ଇଟାଲୀର ଲୋକ ନୁହଁନ୍ତି, ଅନ୍ୟାନ୍ୟ ଦେଶର ଲୋକ ମଧ୍ୟ ଅଛନ୍ତି। ଅନ୍ୟପଟେ, ଏହି ଦୁର୍ଘଟଣାକୁ ନେଇ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦୁଃଖ ପ୍ରକାଶ କରିଛନ୍ତି।

Share