Categories: ଜାତୀୟ

ମାଇନସ୍‌ ୩୦ ଡିଗ୍ରୀରେ ୬୫ ପୁଶ୍‌ ଅପ୍‌ ମାରିଲେ ୫୫ବର୍ଷୀୟ ଆଇଟିବିପି ଅଧିକାରୀ

ଲେହ,୨୩।୨: ଦେଶର ସୁରକ୍ଷାରେ ମୁତୟନ ହୋଇଥିବା ଯବାନଙ୍କ ପାଇଁ ବୟସ ଓ ପରିସ୍ଥିତି କର୍ତ୍ତବ୍ୟ ଆଗରେ ହାର ମାନିଥାଏ। ଯେକୌଣସି ପରିସ୍ଥିତି ହେଉ ନା କାହିଁକି ଯବାନମାନେ ସୀମାରେ ସର୍ବଦା ପ୍ରସ୍ତୁତ ହୋଇ ରହିଥାନ୍ତି। ଇତିମଧ୍ୟରେ ଜଣେ ଯବାନଙ୍କ ସାହସିକତାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଯବାନ ବରଫରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଉକ୍ତ ଭିଡିଓରେ ଆଇଟିବିପିର ଜଣେ ଅଧିକାରୀ ପ୍ରବଳ ଥଣ୍ଡାରେ ବ୍ୟାୟାମ କରୁଥିବାର ନଜର ଆସିଛନ୍ତି। ଭାରତ-ତିବ୍ବତ ସୀମା ପୋଲିସ(ଆଇଟିବିପି)ର ୫୫ବର୍ଷୀୟ କମାଣ୍ଡାଣ୍ଟ ରତନ ସିଂ ସୋନାଲ ୧୭ହଜାର ୫ଶହ ଫୁଟ ଉଚ୍ଚତାରେ ଲଦାଖରେ ମାଇନସ୍‌ ୩୦ଡିଗ୍ରୀ ସେଲ୍‌ସିୟସ ଥଣ୍ଡାରେ ୬୫ଟି ପୁଶ୍‌ ଅପ୍‌ ମାରୁଥିବାର ଦେଖିବାକୁ ମିଳିଛି। ଏହି ଯବାନ ପ୍ରମାଣ କରିଦେଖାଇଛନ୍ତି ଯେ, ଯେକୌଣସି ପରିସ୍ଥିତିରେ ବି ଏମାନେ ନିଜ କର୍ତ୍ତବ୍ୟ ପଥରୁ ଓହରିନ୍ତିନାହିଁ। ଏହା ପ୍ରଥମ ଘଟଣା ନୁହେଁ, କିଛି ଦିନ ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଠାରେ କେତେକ ଯବାନ ବରଫ ଚାଦରକୁ ଚିରି ରାସ୍ତା ତିଆରି କରୁଥିବାର ନଜର ଆସିଥିଲେ।

Share