Categories: ଜାତୀୟ

ଏଲଏସିରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ଆଇଟିବିପି, ପ୍ରସ୍ତାବ ଉପରେ ବିଚାର କରୁଛନ୍ତି କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୧୫।୮ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର କାର୍ଯ୍ୟକଳାପ ବୃଦ୍ଧି କରିବାକୁ ଏକ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏହି ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଯେଉଁଥିରେଏଲଏସିରେ ଆଇଟିବିପିକୁ ମୁଖ୍ୟ ଭୂମିକା ଦେବାକୁ କୁହାଯାଇଛି। ଭାରତୀୟ ସେନା ଏବଂ ଚାଇନା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ମଧ୍ୟରେ ଭବିଷ୍ୟତରେ କୌଣସି ଉତ୍ତେଜନାକୁ ଏଡାଇବା ଲକ୍ଷ୍ୟରେ ଏହି ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସରକାରୀ ସୂତ୍ରରୁ ପ୍ରକାଶ ଯେ, ଆଇଟିବିପିକୁ ଫରଓ୍ବାର୍ଡ ଅଞ୍ଚଳରେ ଏବଂ ଏଲଏସି ସହିତ ସଂଯୁକ୍ତ ପୂର୍ବ ସେକ୍ଟରରେ ମୁଖ୍ୟ ଭୂମିକା ଦେବାକୁ ଯୋଜନା କରାଯାଇଛି। ସେନା ପ୍ରତ୍ୟାହାର ପ୍ରକ୍ରିୟା ସମାପ୍ତ ହେବା ପରେ ଚାଇନା ସୀମା ପ୍ରତିରକ୍ଷା ରେଜିମେଣ୍ଟ ଏବଂ ଆଇଟିବିପି ମଧ୍ୟରେ ଏକ ଆନୁଷ୍ଠାନିକ ଚ୍ୟାନେଲ ପ୍ରତିଷ୍ଠା ହେବ। ଯାହା ପାଇଁ ବେଜିଂକୁ ଏକ ପ୍ରସ୍ତାବ ପଠାଯାଇପାରିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

ଭାରତ ଏବଂ ଚାଇନା ମଧ୍ୟରେ ୩,୪୮୮ କିଲୋମିଟର ଲମ୍ବା ସୀମା ଅଛି । ୨୦୦୪ ମସିହାରେ ସରକାରଙ୍କ ୱାନ ବର୍ଡର ୱାନ ଫୋର୍ସର ସୁପାରିଶ ପରେ ଆଇଟିବିପିକୁ ଭାରତ-ଚାଇନା ସୀମା ହସ୍ତାନ୍ତର କରାଯାଇଥିଲା। ଏହାସହ ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ଆସାମ ରାଇଫଲସ ସ୍ଥାନ ମଧ୍ୟ ଆଇଟିବିପି ନେଇଥିଲା। ତେବେ ସେନା ଆଇଟିବିପିର କାର୍ଯ୍ୟକ୍ଷମ ନିୟନ୍ତ୍ରଣକୁ ସମର୍ଥନ କରି ଉନ୍ନତ ସୀମା ପରିଚାଳନାକୁ ଦର୍ଶାଇଛି। ତେବେ ଏହାକୁ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିରୋଧ କରାଯାଉଛି।

ଭାରତ ଚାଇନା ମଧ୍ୟରେ ବାରମ୍ବାର ସଂଘର୍ଷକୁ ନେଇ ସରକାର ସତର୍କତା ଅବଲମ୍ବନ କରୁଛନ୍ତି। ବର୍ତ୍ତମାନ, ଆଇଟିବିପିର ୧୮୦ଟି ସୀମା ଆଉଟପୋଷ୍ଟ ଅଛି। ପ୍ରତି ପୋଷ୍ଟରେ ପ୍ରାୟ ୧୪୦ ଯବାନ ଅଛନ୍ତି। ୨୦୨୦ ରେ କେନ୍ଦ୍ର ସରକାର ଅତିରିକ୍ତ ୪୭ ଟି ସୀମା ପୋଷ୍ଟକୁ ଅନୁମୋଦନ କରିଛନ୍ତି।, ସେଥିମଧ୍ୟରୁ ୩୪ ଟି ଅରୁଣାଚଳ ପ୍ରଦେଶ ଏବଂ ବାକିଗୁଡିକ ପଶ୍ଚିମ ଥିଏଟର ପାଇଁ ରହିଛି। ସୀମାରେ ବାରମ୍ବାର ଗୁଳି ବିନିମୟ, ତଦାରଖ ବୃଦ୍ଧି ଏବଂ ସମାନ ସ୍ଥିତି ନେଇ ସରକାର ଚିନ୍ତାରେ ରହିଛନ୍ତି। ଏଲଏସିରେ ଚାଇନାର ୫୦ ହଜାରରୁ ଅଧିକ ସୈନ୍ୟ ମୁତୟନ ଅଛନ୍ତି।

 

Share