ବ୍ରହ୍ମପୁର ଅଫିସ,୧୦ା୩: ବ୍ରହ୍ମପୁର ଆଇଟିଆଇ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ପରେ ବର୍ତ୍ତମାନ ଦେଶର ବୃହତ୍ତମ ଟାୟାର ଆର୍ଟ ପାର୍କ ସ୍ଥାପନ କରିବାକୁ ଯାଉଛି। ଏ ନେଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ବୁଧବାର ସୂଚନା ଦେଇଛନ୍ତି। ବର୍ତ୍ତମାନ ଆଇଟିଆଇ ପକ୍ଷରୁ ନଷ୍ଟରୁ ଶ୍ରେଷ୍ଠ ଉଦ୍ୟମ ମାଧ୍ୟମରେ ଏଭଳି ପ୍ରୟାସ କରାଯାଇଥିବା ଅଧ୍ୟକ୍ଷ କହିଛନ୍ତି। ସହରର ବିଭିନ୍ନ ସ୍ଥାନରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ପଡ଼ିଥିବା ଟାୟାରରେ ପାଣି ଜମି ରହି ଡେଙ୍ଗୁ ମଶା ସଂଖ୍ୟା ବୃଦ୍ଧି ଘଟୁଛି। ଏଥିସହ ଟାୟାରରେ ରହିଥିବା ଏକ ରାସାୟନିକ ପଦାର୍ଥରୁ ଡେଙ୍ଗୁ ମଶା ବଂଶ ବିସ୍ତାର ହେବାରେ ସହାୟକ ହେଉଛି। ଏଣୁ ଏହି ବଂଶ ବିସ୍ତାର ସଂଖ୍ୟାକୁ ରୋକିବା ଏବଂ ଡେଙ୍ଗୁ ରୋଗର ସଚେତନତା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଅଧ୍ୟକ୍ଷ କହିଛନ୍ତି। ତତ୍ସହିତ ଟାୟାର ଜାଳିବା ଦ୍ୱାରା ଏଥିରୁ ଧୂଅଁା ବାହାରି ପରିବେଶକୁ ପ୍ରଦୂଷିତ କରିଥାଏ, ଯାହାକି ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏଣୁ ଏହି ଟାୟାରକୁ ବର୍ତ୍ତମାନ ବ୍ୟବହାର କରାଯାଇ ଏକ ନୂତନ ଢାଞ୍ଚାରେ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଥିବା ସେ କହିଛନ୍ତି। ବର୍ତ୍ତମାନ ଆଇଟିଆଇ ପରିସରରେ ୩ରୁ ୪ ହଜାର ଟାୟାର ବ୍ୟବହୃତ କରାଯାଇ ପୃଥିବୀରୁ ବିଲୁପ୍ତ ଜୀବ ଡାଏନୋସର ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି। ଏହାର ଉଚ୍ଚତା ୩୦ ଫୁଟ ରହିଥିବା ବେଳେ ଓଜନ ୪ ଟନ ରହିଛିି, ଯାହାକୁ ଦେଶର ସର୍ବବୃହତ୍ ଟାୟାର ଆର୍ଟ ପାର୍କରେ ସ୍ଥାପନ କରାଯିବ। ଏଥିସହ ଏହି ପାର୍କରେ ଟାୟାରରେ ନିର୍ମିତ କାର, ହାତୀ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ମଧ୍ୟ ସ୍ଥାପନ କରାଯିବ। ଏହି ଟାୟାର ଆର୍ଟ ପାର୍କ ସମାଜକୁ ସଚେତନତାର ବାର୍ତ୍ତା ଦେବ ବୋଲି ଅଧ୍ୟକ୍ଷ କହିଛନ୍ତି।