ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ ବୁଥ ନିର୍ମାଣ ହେବ। ଅଦରକାରୀ ସାମଗ୍ରୀରେ ତିଆରି ହୋଇଥିବା ଟୁଲ, ଟେବୁଲ ଓ ଅନ୍ୟାନ୍ୟ ଆସବାବପତ୍ର ୬ଟି ପ୍ରକଳ୍ପ ଏଥିରେ ସ୍ଥାନ ପାଇବ। ଏହି ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ବୁଥ ସ୍ଥାନୀୟ ହିଲପାଟଣାରେ ସ୍ଥାପନ କରାଯିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଯୋଜନା କରାଯାଇଛି, ଯାହାକି ଭାରତରେ ପ୍ରଥମ। ଏହାର ଦାୟିତ୍ୱ ବ୍ରହ୍ମପୁର ଆଇଟିଆଇକୁ ଦିଆଯାଇଥିବା ଆଇଟିଆଇର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ କହିଛନ୍ତି। ଏହି ମଡେଲ ବୁଥ ନିର୍ମାଣର ଉଦ୍ଦେଶ୍ୟ ସମ୍ପର୍କରେ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ଋଷିକୁଲ୍ୟା ମୁହାଣକୁ ବହୁ ପରିମାଣରେ ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସୁଛନ୍ତି। ରାଜ୍ୟ ସରକାର ସେମାନଙ୍କ ସଂରକ୍ଷଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ତେଣୁ କଇଁଛ ଆକୃତିର ଏକ ମାସ୍କଟ ତିଆରି କରାଯାଇଛି। ଯେଉଁଥିରେ ୭ ହଜାର ଥଣ୍ଡାବୋତଲର ଠିପି ବ୍ୟବହାର କରାଯାଇଛି। ଏହାର ଉଚ୍ଚତା ରହିଛି ୬ ଫୁଟ। ଓ୍ବେଷ୍ଟ ଟୁ ଓ୍ବେଲଥ ପୋଲିଂ ବୁଥ ନିକଟରେ ୩ ଫୁଟ ଉଚ୍ଚତାର ଅଦରକାରୀ ଟାୟାରକୁ ନେଇ ଚଳନକ୍ଷମ ଟେବୁଲ ରହିଛି। ଭାରତ ମାନଚିତ୍ର ଥାଇ ଏକ ସେଲଫି ପଏଣ୍ଟ ବି ବୁଥ ବାହାରେ କରାଯିବ। ସେଠାରେ ଭୋଟରମାନେ ସେଲ୍ଫି ନେଇପାରିବେ। ୫ଟି ଷ୍ଟୁଲ ରହିବ। ସବୁଥିରେ ଅଦରକାରୀ ଟାୟାର ବ୍ୟବହାର କରାଯାଇଛି। ସେଥିରେ ପ୍ରଥମ,ଦ୍ୱିତୀୟ ପୋଲିଂ ଅଫିସର ଏବଂ ନିରାପତ୍ତା ରକ୍ଷୀମାନେ ବସିବା ଭଳି ବ୍ୟବସ୍ଥା ରହିଛି। ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ସଂରଞ୍ଜାମ ରଖିବା ପାଇଁ ୩ଟି ଟେବୁଲ ନିର୍ମାଣ କରାଯାଇଛି। ଏଥିରେ ମୋଟର ସାଇକେଲ ଟାୟାର ବ୍ୟବହାର କରାଯାଇଛି। ସେହିପରି ଇଭିଏମ ମେଶିନ ରଖିବା ପାଇଁ ଜିପ ଆକୃତିର ଟେବୁଲ ନିର୍ମାଣ କରାଯାଇଛି। ଫିଟର, ଇଲେକ୍ଟ୍ରିସିଆନ, ଇନଷ୍ଟ୍ରୁମେଣ୍ଟ ମେକାନିକ, ପେଣ୍ଟର ବିଭାଗର ପ୍ରାୟ ୪୦ ଛାତ୍ରୀଛାତ୍ର ଏହି ୬ଟି ପ୍ରକଳ୍ପ ନିର୍ମାଣ କରିଛନ୍ତି। ବିଇଏମସିର ଅନୁରୋଧ ରକ୍ଷା କରି ଗତ ୩ ତାରିଖରୁ ଏହା ନିର୍ମାଣ ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖରେ କାର୍ଯ୍ୟ ସରିବ। ୧୩ ତାରିଖ ପୂର୍ବରୁ ଏହି ବୁଥ ସେଠାରେ ସ୍ଥାପନ କରାଯିବ। ଓ୍ବେଷ୍ଟ ଟୁ ଓ୍ବେଲଥ ପ୍ରକଳ୍ପ ପ୍ରଦର୍ଶନ କରି ବ୍ରହ୍ମପୁର ଆଇଟିଆଇ ବିଶ୍ୱ ରେକର୍ଡ ସ୍ଥାପନ
କରିଛି ବୋଲି ପାଣିଗ୍ରାହୀ କହିଛନ୍ତି।

Share