Categories: ବାଣିଜ୍ୟ

ସ୍କାମରଙ୍କ ନଜରରେ ଆଇଟିଆର୍‌ ରିଫଣ୍ଡ,ସତର୍କ କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୭(ଅନୁରାଧା ମହାରଣା): ଆୟକର ରିଟର୍ନ ଦାଖଲ କରିବାର ଶେଷ ତାରିଖ ପାଖେଇ ଆସୁଛି। ରିଟର୍ନ ଦାଖଲକରିବା ପରେ ଅନେକ ଲୋକ ବର୍ତ୍ତମାନ ସେମାନଙ୍କ ରିଫଣ୍ଡ ପାଇଁ ଅପେକ୍ଷା କରିଛନ୍ତି। ଅନ୍ୟପଟେ ସାଇବର ଠକଙ୍କ ନଜର ଏହି ଶ୍ରେଣୀର ବ୍ୟକ୍ତିଙ୍କ ଉପରେ ରହିଛି। ଏନେଇ ଆୟକର ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆୟକର ବିଭାଗ ବୁଧବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ସୂଚନା ଦେଇଛି ଯେ ଟିକସଦାତାଙ୍କୁ ନକଲି ପପ୍‌-ଅପ୍‌ ବାର୍ତ୍ତାଠାରୁ ଦୂରେଇରହିବା ଉଚିତ। ଟିକସଦାତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିବା ପାଇଁ ସାଇବର ଅପରାଧୀମାନେ ଆୟକର ରିଫଣ୍ଡକୁ ଅସ୍ତ୍ର ଭାବରେ ବ୍ୟବହାର କରିପାରନ୍ତି। ଅପରାଧୀମାନେ ନକଲି ମେସେଜ୍‌ ପଠାଇ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିପାରନ୍ତି। ରିଫଣ୍ଡ ଠକେଇର ଅନେକ ମାମଲା ସାରା ଦେଶରେ ପଦାକୁ ଆସିବା ପରେ ଆୟକର ବିଭାଗ ଟିକସଦାତାଙ୍କୁ ପରାମର୍ଶ ଦେଇଛି। ଆୟକର ବିଭାଗ ଅନୁଯାୟୀ, ସାଇବର ଠକମାନେ ପଠାଉଥିବା ନକଲି ମେସେଜ୍‌ରେ ଆପଣଙ୍କ ରିଫଣ୍ଡ ଅନୁମୋଦନ ହୋଇଥିବା ଉଲ୍ଲେଖ ରହିଥାଏ। ଏହି ଟଙ୍କା ଶୀଘ୍ର ଉପଭୋକ୍ତାଙ୍କ ଆକାଉଣ୍ଟରେ ଜମାହେବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ ପରିଦର୍ଶନ କରି ଆପଣ ଆପଣଙ୍କର ଆକାଉଣ୍ଟ ନମ୍ବର ଯାଞ୍ଚ କରିପାରିବେ କିମ୍ବା ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଅପ୍‌ଡେଟ୍‌ କରିପାରିବେ ବୋଲି ଏଥିରେ ଦର୍ଶାଯାଇଥାଏ। ଏପରି ମେସେଜ୍‌ର ରିପ୍ଲାଏ ନ କରିବା ପାଇଁ ବିଭାଗ ପରାମର୍ଶ ଦେଇଛି। ବିଭାଗ ଅନୁଯାୟୀ, ଏହି ଲିଙ୍କ୍‌ ଟିକସଦାତାଙ୍କୁ ଏକ ନକଲି ୱେବ୍‌ସାଇଟକୁ ନେଇଥାଏ। ସେଠାରେ ଖାତା ଅପ୍‌ଡେଟ୍‌ କରିବାବେଳେ ଏକ ଓଟିପି ପଠାଯାଏ। ଓଟିପି ପ୍ରବେଶ କରିବା ମାତ୍ରେ ସ୍କାମରମାନେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇନିଅନ୍ତି। ଆୟକର ବିଭାଗ ଏପରି କୌଣସି ମେସେଜ୍‌ କିମ୍ବା ଇ-ମେଲ୍‌ ପଠାଇ ନ ଥାଏ ବରଂ ସିଧାସଳଖ ଟିକସଦାତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରିଫଣ୍ଡ ପଠାଯାଏ ବୋଲି ବିଭାଗ କହିଛି।

Share