ହୋଇଗଲା ବଡ଼ ଭୁଲ, ଆତଙ୍କବାଦୀ ବଦଳରେ ନିରୀହଙ୍କ ଉପରେ ବୋମା ମାଡ଼…

ଓ୍ବାଶିଂଟନ,୧୧।୯: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ବିସ୍ଫୋରଣ ପରେ ଆମେରିକା ଏୟାର ଷ୍ଟ୍ରାଇକ କରିଥିଲା। ତେବେ ଏଥିରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କର ବଡ଼ ଭୁଲ୍‌ ହୋଇଥିଲା। ଅଜାଣତରେ ଆତଙ୍କବାଦୀଙ୍କ ଦଳରେ ନିରୀହଙ୍କ ଉପରେ ବୋମା ମାଡ଼ ହୋଇଥିଲା। ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ, ଆମେରିକାର ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀଙ୍କ ବଦଳରେ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ରିପୋର୍ଟର ଏକ ଭିଡିଓ ବିଶ୍ଳେଷଣରୁ ଜଣାପଡିଛି, ଆଫଗାନିସ୍ତାନରେ ଅଗଷ୍ଟ ୨୯ରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଇସଲାମିକ ଷ୍ଟେଟ-ଖୋରାସାନ ପ୍ରଦେଶ (ଆଇଏସକେପି) ଆତଙ୍କବାଦୀଙ୍କ ପରିବର୍ତ୍ତେ ଆମେରିକା ଭୁଲରେ ନିଜର ସହାୟତା କର୍ମଚାରୀଙ୍କୁ ଟାର୍ଗେଟ କରିଥାଇପାରେ ବୋଲି ଅନୁମାନ କରାଯାଉଛି।

ବର୍ତ୍ତମାନ ଏକ ରିପୋର୍ଟ ଦାବି କରୁଛି ଯେ ଆତଙ୍କବାଦୀଙ୍କୁ ଚିହ୍ନଟ କରିବାରେ ଆମେରିକା ଭୁଲ କରିଛି ଏବଂ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପରିବର୍ତ୍ତେ ଏହା ସହାୟତା କର୍ମଚାରୀଙ୍କୁ ଟାର୍ଗେଟ କରିଥାଇପାରେ।
କାବୁଲ ବିମାନବନ୍ଦରରେ ବିସ୍ଫୋରଣର ୪୮ ଘଣ୍ଟା ପରେ ଆମେରିକା ଏୟାର ଷ୍ଟ୍ରାଇକ କରି ଇସଲାମିକ ଷ୍ଟେଟ ଖୋରାସାନ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଦାବି କରିଥିଲା।

ବିମାନବନ୍ଦରରେ ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନିକଙ୍କ ସମେତ ୨୦୦ରୁ ଅଧିକ ଲୋକ ନିହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ଆଫଗାନିସ୍ତାନ ନାଗରିକ ଥିଲେ। ଜୋ ବାଇଡେନ କାବୁଲ ବିମାନ ବନ୍ଦର ଆକ୍ରମଣ ପରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ କହିଥିଲେ ଯେ, ସେମାନେ ଯେଉଁଠାରେ ଅଛନ୍ତି, ଆମେରିକା ସେମାନଙ୍କୁ ଖୋଜି ଖୋଜି ହତ୍ୟା କରିବ।

ପେଣ୍ଟାଗନ କହିଥିଲା ଏୟାର ଷ୍ଟ୍ରାଇକ୍‌ରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। କିନ୍ତୁ ବର୍ତ୍ତମାନ ଆମେରିକାର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି। ଆମେରିକାର ଆକ୍ରମଣରେ ଆତଙ୍କବାଦୀଙ୍କ ବଦଳରେ ୧୦ ଜଣ ନିରୀହ ଲୋକଙ୍କର ଭୁଲରେ ମୃତ୍ୟୁ ଘଟିଛି ବୋଲି କୁହାଯାଉଛି। ନ୍ୟୁଜ ଏଜେନ୍ସି ଏଏଫ୍‌ପି ଅନୁଯାୟୀ, ଆମେରିକାର ଆକ୍ରମଣରେ ଅତି କମରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

କାବୁଲର ବାସିନ୍ଦା ଅମଲ ଅହମ୍ମଦ କହିଛନ୍ତି, ଅଗଷ୍ଟ ୨୯ରେ ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଟାର୍ଗେଟ କରାଯାଇଥିବା କାରକୁ ତାଙ୍କ ସାନ ଭାଇ ଏଜମରାଇ ଅହମ୍ମଦ ଚଳାଉଥିଲେ। କାରରେ ତାଙ୍କ ଛୋଟ ଝିଅ, ଝିଆରୀ ଏବଂ ପୁତୁରା ଥିଲେ। ଆମେରିକାର ଏୟାର ଷ୍ଟ୍ରାଇକରେ ସମସ୍ତେ ନିହତ ହୋଇଥିଲେ। ନ୍ୟୁୟର୍କ ଟାଇମ୍ସ ସୁରକ୍ଷା କ୍ୟାମେରା ଫୁଟେଜକୁ ବିଶ୍ଳେଷଣ କରି ଯିବା ପରେ ସତ୍ୟର ପର୍ଦ୍ଦାଫାଶ୍‌ ହୋଇଛି। ଏବେ ଏହାକୁ ନେଇ ବାଇଡେନ୍‌ ସରକାର ନିଜ ଦେଶରେ ମଧ୍ୟରେ ବିରୋଧୀଙ୍କ ଘେରରେ ପଡ଼ିଛନ୍ତି।

Share