
ଓଡ଼ିଶାର ଘରେ ଘରେ ପରିଚିତ ସାଲେପୁରସ୍ଥିତ ବିକଳାନନ୍ଦ କରଙ୍କ ରସଗୋଲା। ଦିନେ ଏକ ବରଗଛ ତଳେ ରସଗୋଲା ଓ ବରା ଡାଲମା ବିକୁଥଲେ ବିକଳାନନ୍ଦ। ମେଳା ମହୋତ୍ସବ ହେଲେ ସେ ସେଠାରେ ପହଞ୍ଚତ୍ୟାଉଥିଲେ। ଗ୍ରାହକଙ୍କୁ ଆକୃଷ୍ଟ କରିବା କଳା ତାଙ୍କୁ ବେଶ୍ ଜଣାଥିଲା। ସେତେବେଳେ ବିଜୁଳି ଆଲୁଅ ବା ବ୍ୟାଟେରି ଆଲୋକ ଖୁବ୍ କମ୍ ଦେଖିବାକୁ ମିଳୁଥିଲା। ତେଣୁ ସେ ବେପାରକୁ ବାହାରିବାବେଳେ ସାଥିରେ ଏକ ଲାଇଟ୍ ନେଇଯାଉଥିଲେ। ସେହି ଲାଇଟ୍ ଦେଖିବାକୁ ତାଙ୍କ ପାଖରେ ଜମୁଥିଲା ଲୋକଙ୍କ ଭିଡ଼ ଏବଂ ବେପାର ମଧ୍ୟ ଖୁବ୍ ଭଲ ହେଉଥିଲା। ତାଙ୍କର ଏପରି ବ୍ୟବସାୟ କଳାରେ ଅନୁପ୍ରାଣିତ ହୋଇ ପାରିବାରିକ ବ୍ୟବସାୟକୁ ପିଢ଼ି ପରେ ପିଢ଼ି ଆଗକୁ ବଢ଼ାଇନେଇଛନ୍ତି। ପ୍ରାୟ ୧୦୦ବର୍ଷର ଏହି ପ୍ରତିଷ୍ଠାନର ମଙ୍ଗ ଧରିଥିବା ବିକଳାନନ୍ଦ କରଙ୍କ ନାତୁଣୀ ତଥା କର ଆଣ୍ଡ୍ ବ୍ରଦର୍ସର ଡାଇରେକ୍ଟର ସାଇ ଶିବାନୀ କରଙ୍କ ସହ ଧରିତ୍ରୀ ପକ୍ଷରୁ ସ୍ବତନ୍ତ୍ର ଆଳାପ…
ପ୍ର-ଆପଣଙ୍କ ନିକଟରେ ଅନେକ ସୁଯୋଗ ରହିଥିଲେ ମଧ୍ୟ ପାରିବାରିକ ବ୍ୟବସାୟରେ କାହିଁକି ପାଦଦେଇଥିଲେ?
ଉ- ଜେଜେଙ୍କ ପରେ ତାଙ୍କର ତିନିପୁଅ ସ୍ବର୍ଗତ ଦେବେନ୍ଦ୍ରନାଥ, ପ୍ରଦୀପ୍ତ କୁମାର ଓ ପ୍ରଶାନ୍ତ କୁମାର ବ୍ୟବସାୟରେ ଯୋଗଦେଇଥିଲେ। ଜେଜେ ହାତରେ ମିଠା ଗଢ଼ୁଥିବାବେଳେ ବଡ଼ବାପା ଦେବେନ୍ଦ୍ର ମିଠା ପ୍ରସ୍ତୁତି ଓ ପ୍ୟାକେଜିଂରେ ମେଶିନ୍ ପ୍ରୟୋଗ ଆରମ୍ଭ କରିଥିଲେ। ମୋର ପାଠପଢ଼ା ସମୟରେ ବ୍ୟବସାୟ ବିଷୟରେ ଘରେ ସବୁବେଳେ ଆଲୋଚନା ହୁଏ। ସେତେବଳେ ମୁଁ ଓ ସାନ ଭଉଣୀ ସାଇପ୍ରିୟା କର ଏହି ବ୍ୟବସାୟକୁ ସମ୍ପ୍ରସାରଣ କରିବୁ ବୋଲି ସ୍ଥିର କରିଥିଲୁ। ବି.କମ୍ ପରେ ହସ୍ପିଟାଲିଟି ଆଣ୍ଡ୍ ମ୍ୟାନେଜମେଣ୍ଟରେ ଏମବିଏ କରିବା ପରେ ପ୍ରାୟ ୭/୮ ବର୍ଷ ତଳେ ମୁଁ ଏଥିରେ ଯୋଗଦେଇଥିଲି। ପାରିବାରିକ ବ୍ୟବସାୟକୁ ଆଗକୁ ନେବା ମୋ ପାଇଁ ଭାଗ୍ୟର କଥା।
ପ୍ର- ଆପଣଙ୍କ ଉପତ୍ାଦ ଓଡ଼ିଶାର ଘରେ ଘରେ ପରିଚିତ, କିପରି ଅନୁଭବ କରନ୍ତି?
ଉ- ରସଗୋଲା କଥା ଆସିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥା ଆସେ। ତେଣୁ ମହାପ୍ରଭୁଙ୍କ ପ୍ରିୟ ରସଗୋଲା ପ୍ରସ୍ତୁତ କରିବାରେ ଆମକୁ ଖୁବ୍ ଭଲ ଲାଗେ। ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପାଇଁ ଆମେ ବହୁତ ପ୍ରୟାସ କରିଥିଲୁ। ଜିଆଇ ଟ୍ୟାଗର ବ୍ୟବହାର ପାଇଁ ଆମେ ସ୍ବୀକୃତିପ୍ରାପ୍ତ ହୋଇଥିବାରୁ ସେ ଅନୁଭବ ମଧ୍ୟ ନିଆରା। ମୁସ୍ମୁସ୍, ଚମଚମ, ରାଜାଭୋଗ ସହ ନମକିନ୍ର ବହୁତ ଚାହିଦା ରହୁଛି। ତେଣୁ ନୂଆ ନୂଆ ମିଠା ପ୍ରସ୍ତୁତି କରିବାକୁ ଯୋଜନା କରୁଛୁ। ସଚେତନ ଲୋକମାନେ ସୁଗାର ଫ୍ରି ମିିଠା ଉପରେ ନିର୍ଭର କରୁଛନ୍ତି। ସେହି ମୁତାବକ ଅଧିକ ମିଠା ପ୍ରସ୍ତୁତ କରୁଛୁ।
ପ୍ର- ବ୍ୟବସାୟ ବିସ୍ତାର ପାଇଁ ଆଗକୁ କ’ଣ ଯୋଜନା ରହିଛି? ଅନଲାଇନ୍ କାରବାର ବ୍ୟବସାୟକୁ ସହଜ କରିଛି କି?
ଉ- ଓଡ଼ିଶାରେ ଆମର ବର୍ତ୍ତମାନ ୧୩ଟି ଆଉଟଲେଟ୍ ରହିଛି। ଭୁବନେଶ୍ୱରରେ ୬ଟି, ଅନୁଗୋଳ ଓ ସାଲେପୁରରେ ଗୋଟିଏ ଲେଖାଏ, କଟକରେ ୪ଟି ଆଉଟଲେଟ୍ ରହିଛି। ଆଗକୁ ସାଲେପୁରରେ ଆଉ ଏକ ଷ୍ଟୋର ଖୋଲିବ। ନୂଆ ନୂଆ ଜ୍ଞାନକୌଶଳ ବା ଯନ୍ତ୍ରାଂଶର ପ୍ରୟୋଗ ମଧ୍ୟ ବଢ଼ାଯିବ। ଅନଲାଇନ୍ ପ୍ଲାଟଫର୍ମ ବ୍ୟବସାୟକୁ ବେଶ୍ ତ୍ୱରାନ୍ବିତ କରୁଛି। ଓଡ଼ିଶା ସମେତ ସମଗ୍ର ଦେଶକୁ ଆମର ଉପତ୍ାଦ ଯାଉଛି। ବିଦେଶରୁ ମଧ୍ୟ ମିଠା ବରାଦ ରହୁଛି।
ପ୍ର- ବ୍ୟବସାୟ ସହ ସାମାଜିକ ଦାୟିତ୍ୱକୁ କିପରି ତୁଲାଇଥା’ନ୍ତି?
ଉ- ଜେଜେଙ୍କ ସ୍ମୃତିରେ ୨୦୦୪ରୁ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ଗଠନ କରାଯାଇ ସାଲେପୁର ଅଞ୍ଚଳରେ ଲୋକାଭିମୁଖୀ କାର୍ଯ୍ୟ ହାତକୁ ନିଆଯାଉଛି। ୧୯୬୪ରେ ଅନ୍ୟମାନଙ୍କ ସହ ମିଶି ଜେଜେ ସାଲେପୁର କଲେଜ ପ୍ରତିଷ୍ଠା କରିଥିଲେ। ଏଠାରେ ପ୍ରତିବର୍ଷ ୭୦ରୁ ୮୦ ପିଲାଙ୍କ ଶିକ୍ଷା ଖର୍ଚ୍ଚ ଆମେ ବହନ କରୁଛୁ। ଭାରତବର୍ଷରେ ପ୍ରଥମକରି ବିକଳାନନ୍ଦ କର ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇ, ମିଷ୍ଟାନ୍ନ ପ୍ରସ୍ତୁତି ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷିତ ପିଲାଙ୍କୁ ଆମ ଅନୁଷ୍ଠାନରେ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରାଯାଉଛି। ଗୋସେବା, ରକ୍ତଦାନ ଶିବିର ଆଦିର ମଧ୍ୟ ଆୟୋଜନ କରାଯାଉଛି।
ପ୍ର- ଖାଦ୍ୟଶିଳ୍ପରେ ପ୍ରବେଶ କରୁଥିବା ଯୁବ ଉଦ୍ୟୋଗୀଙ୍କ ପାଇଁ କ’ଣ ବାର୍ତ୍ତା ଦେବେ?
ଉ- ଏହା ଏପରି ଏକ ବ୍ୟବସାୟ ଯେଉଁଥିରେ କାରବାରରେ ନିରନ୍ତରତା, ପ୍ରସ୍ତୁତି ପ୍ରଣାଳୀରେ ସ୍ବଚ୍ଛତା, ଚାହିଦା ମୁତାବକ ଉପଲବ୍ଧତା ଆଦି ହିଁ ସଫଳତାର ମନ୍ତ୍ର। ସଫଳତା ପାଇଁ କୌଣସି ଶର୍ଟକଟ୍ କାମ କରେ ନାହିଁ। ତେଣୁ ନିଷ୍ଠାର ସହ ଏହି ବ୍ୟବସାୟରେ ପ୍ରବେଶ କରିବା ଦରକାର।
-ସାକ୍ଷାତ୍କାର: ଅନୁରାଧା ମହାରଣା, ଭୁବନେଶ୍ୱର