ଗର୍ବର ବିଷୟ

ଉପେନ୍ଦ୍ର ବିଶ୍ୱାଳ

କେନିଆର ପୂର୍ବ ପ୍ରଧାନମନ୍ତ୍ରୀ ରାଇଲା ଓଡିଙ୍ଗାଙ୍କ କନ୍ୟା ହେଉଛନ୍ତି ୪୪ ବର୍ଷୀୟା ରୋଜମାରୀ। ମସ୍ତିଷ୍କରେ ଟ୍ୟୁମରଜନିତ ଜଟିଳ ସମସ୍ୟା ଯୋଗୁ ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହେଲେ ସେ। ମାତ୍ର ଦୁର୍ଭାଗ୍ୟ ବଶତଃ ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣଭାବେ ହରେଇବସିଲେ ନିଜ ଦୃଷ୍ଟିଶକ୍ତି। ଦକ୍ଷିଣ ଆଫ୍ରିକା, ଚାଇନା, ଇସ୍ରାଏଲ ସମେତ ଅନ୍ୟାନ୍ୟ କେତେକ ରାଷ୍ଟ୍ରରୁ ନିରାଶ ହୋଇ ଶେଷରେ ଆସି ପହଞ୍ଚତ୍ଲେ ଭାରତରେ। କେରଳର କୋଚିଠାରେ ମାତ୍ର ତିନିସପ୍ତାହର ପାରମ୍ପରିକ ଚିକିତ୍ସାରେ ଫେରିପାଇଲେ ନିଜର ଦୃଷ୍ଟିଶକ୍ତି। ଭାରତର ଏପ୍ରକାର ପ୍ରାଚୀନ ଚିକିତ୍ସା ପଦ୍ଧତିକୁ ଆଫ୍ରିକା ମହାଦେଶକୁ ନେଇ ସେଠାକାର ଜନସାଧାରଣଙ୍କ ନିକଟରେ ତାହା କେମିତି ସହଜ ଉପଲବ୍ଧ ହେବ ସେଥିପାଇଁ ସେବେଠୁ (୨୦୧୯ ମସିହାରୁ) ଲାଗିପଡିଛନ୍ତି ବାପ-ଝିଅ। ଗତ ଏପ୍ରିଲରେ ଅହମଦାବାଦଠାରେ ଅନୁଷ୍ଠିତ ”ବିଶ୍ୱ ପାରମ୍ପରିକ ଔଷଧ କେନ୍ଦ୍ର“ର ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଡବ୍ଲ୍ୟୁଏଚ୍‌ଓ’ର ମହାନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଏକଥା କହୁଥିଲାବେଳେ ତାଳିମାଡ଼ରେ କମ୍ପି ଉଠିଥିଲା ଉତ୍ସବସ୍ଥଳ ଏବଂ ସଭିଙ୍କ ଆଖି ଲାଖିରହିଥିଲା ମଞ୍ଚ ସାମନାରେ ବସିଥିବା ଓ ପରିବାରଙ୍କ ଉପରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ଭାରତର ମିଳିତ ସହଯୋଗରେ ନିର୍ମାଣ ହେବାକୁ ଯାଉଥିବା ଏହି ‘ଆୟୁର୍ବେଦିକ ଔଷଧ ଗବେଷଣା ଓ ପ୍ରସ୍ତୁତି କେନ୍ଦ୍ର’ଟି ବିଶ୍ୱର ପ୍ରଥମ ଓ ପ୍ରମୁଖ କେନ୍ଦ୍ର ଭାବେ ଗୌରବ ବହନ କରିବା ସହିତ ‘ଭାରତୀୟ ପାରମ୍ପରିକ ଔଷଧ ଓ ଚିକିତ୍ସା’ର ପୁନରୁତ୍ଥାନ ଏବଂ ତା’ର ଭବ୍ୟ ଭବିଷ୍ୟତ ସମ୍ବନ୍ଧେ ସୂଚିତ କରାଏ।
ଏବେ ଆସନ୍ତୁ ଜାଣିବା ଅତ୍ୟାଧୁନିକ ପ୍ଲାଷ୍ଟିକ ସର୍ଜରିର ଜନ୍ମ ଜାତକକୁ। ରାମାୟଣ ଯୁଗରେ ସୂର୍ପଣଖାଙ୍କ ନାକକଟା ପ୍ରସଙ୍ଗପରି ଇତିହାସରେ ମଧ୍ୟ ହାଇଦର ଅଲ୍ଲୀ ଓ ଟିପୁ ସୁଲତାନଙ୍କ ଦ୍ୱାରା ବ୍ରିଟିଶ ସେନାପତି ଏବଂ କେତେଜଣ ଗୁପ୍ତଚରଙ୍କ ‘ନାକକଟା’ ବୃତ୍ତାନ୍ତ ଖୁବ୍‌ ରୋଚକ । ଏକଦା ବ୍ରିଟିଶ ସେନା ବିରୋଧରେ ଯୁଦ୍ଧ କରୁଥିବାବେଳେ ବ୍ରିଟିଶ ସେନାପତିଙ୍କ ନାକ କାଟି ଦେଇଥିଲେ ହାଇଦର ଅଲ୍ଲୀ। ପରେ ଅବଶ୍ୟ ଜଣେ ନାପିତ ସମ୍ପ୍ରଦାୟର ବୈଦ୍ୟଙ୍କଠାରୁ ଚିକିତ୍ସିତ ହୋଇ ପୂର୍ବାବସ୍ଥାକୁ ଫେରି ପାଇଥିଲେ ସେ। ୧୭୬୯ରୁ ୧୭୯୯ ମଧ୍ୟରେ ବ୍ରିଟିଶ ସେନା ସହିତ ହାଇଦର ଅଲ୍ଲୀ ଓ ଟିପୁ ସୁଲତାନ ବାପ-ପୁଅଙ୍କର ଅନେକ ଯୁଦ୍ଧ ସଂଘଟିତ ହୋଇଛି। ଉକ୍ତ ସମୟ ମଧ୍ୟରେ ବ୍ରିଟିଶ ସେନାଙ୍କୁ ସହାୟତା କରୁଥିବା ଅଭିଯୋଗରେ ଥରେ ଟିପୁ ସୁଲତାନ ୪ଜଣ ମରାଠୀ ବେପାରୀଙ୍କୁ ଧରିଆଣି ବନ୍ଦୀ କରି ରଖିଥିଲେ ଏବଂ କିଛିଦିନପରେ ସେମାନଙ୍କ ନାକ କାଟି ଛାଡି ଦେଇଥିଲେ। ଉକ୍ତ ଘଟଣାର କିଛିଦିନ ପରେ ଜଣେ ବ୍ରିଟିଶ ଅଧିକାରୀ ତନ୍ମଧ୍ୟରୁ ଜଣଙ୍କୁ ଭେଟିଥିଲେ, ଯାହାଙ୍କର ଥିଲା ଏକ କୃତ୍ରିମ ନାକ। ଯାହାକୁ ସେ କୁମ୍ଭାର ସମ୍ପ୍ରଦାୟର ଜଣେ ମରାଠୀ ବୈଦ୍ୟଙ୍କ ଚିକିତ୍ସା କ୍ରମେ କୃତ୍ରିମ ନାକ ପ୍ରତିରୋପଣ କରାଇଥିଲେ। ଏହି ଘଟଣାର କିଛିଦିନ ପରେ ସେହି ବ୍ରିଟିଶ ଅଧିକାରୀ ଜଣଙ୍କ ଦୁଇଜଣ ବ୍ରିଟିଶ ଡାକ୍ତରଙ୍କୁ ସାଥିରେ ଧରି ପହଞ୍ଚତ୍ଲେ ଉକ୍ତ କୁମ୍ଭାରବୈଦ୍ୟ କାବାସ ଜୀଙ୍କ ଘରେ। ଏହି ଚିକିତ୍ସାପଦ୍ଧତି ଶିଖାଇଦେବାକୁ ନିର୍ଦ୍ଦେଶ ଦେଲେ ସେ। ତା’ପରେ ସେହି ଦୁଇ ଡାକ୍ତର ଏପ୍ରକାର ଅଭିନବ ଚିକିତ୍ସା ପଦ୍ଧତି ସମ୍ବନ୍ଧେ ଶିକ୍ଷା ଲାଭକରି ଇଂଲଣ୍ଡରେ ପ୍ରଚାର କରିବାକୁ ଲାଗିଲେ, ଯାହାକି ପ୍ରକାଶିତ ହୋଇଥିଲା “The Gentleman’s Magazine of London” ଅକ୍ଟୋବର ୧୭୯୪ ସଂଖ୍ୟାରେ। କ୍ରମଶଃ ୟୁରୋପରେ ଏହା ଖୁବ୍‌ ଆଲୋଚିତ ହେବାରୁ ୧୮୧୪ – ୧୮୧୬ ମଧ୍ୟରେ ଇଂଲଣ୍ଡର ଜଣେ ବିଶିଷ୍ଟ ଚିକିତ୍ସକ ଯୋସେଫ କର୍ପୂ (୧୭୬୪-୧୮୪୬) ଭାରତ ଆସି ଭାରତୀୟ ପ୍ରାକୃତିକ ଚିକିତ୍ସା ଓ ଔଷଧ ସମ୍ବନ୍ଧେ ଅଧିକ ଶିକ୍ଷା ଓ ଗବେଷଣା କରିବାକୁ ଲାଗିଲେ। ଭାରତରେ ୨ବର୍ଷର ରହଣି ଭିତରେ ଅନେକ ବିଦ୍ୟା ଆୟତ୍ତ କରିବା ସହିତ ସୁଶ୍ରୁତ ସଂହିତାକୁ ଇଂଲିଶ ଅନୁବାଦ କରି ତାଙ୍କ ଦେଶକୁ ନେଇ ଯାଇଥିଲେ। ଯେଉଁଥିରେ ୧୧୨୦ପ୍ରକାର ବ୍ୟାଧିର ଉପଚାର ପଦ୍ଧତି, ୧୦୦ ପ୍ରକାର ଚିକିତ୍ସା ସରଞ୍ଜାମ, ୭୦୦ପ୍ରଜାତିର ଔଷଧୀୟ ଗୁଳ୍ମ ଏବଂ ୧୨୧ ପ୍ରକାର ଔଷଧ ନିର୍ମାଣର ବିଧି ସନ୍ନିବେଶ ଥିଲା। ତା’ପରେ ଯାଇ ସମଗ୍ର ୟୁରୋପ ଜଗତରେ ସୁଶ୍ରୁତ(ଖ୍ରୀ.ପୂ. ୧୫୦୦)ଙ୍କ ‘ନାସା ସନ୍ଧାନ’ ପଦ୍ଧତି, Rhinoplasty ନାମରେ ବିଶ୍ୱରେ ପ୍ରସିଦ୍ଧିଲାଭ କଲା। ଏ ସମ୍ବନ୍ଧେ ଲଣ୍ଡନ ହସ୍ପିଟାଲର ବରିଷ୍ଠ ଚିକିତ୍ସକ ତଥା ବିଶେଷଜ୍ଞ ସାର୍‌ ଉଇଲିୟମ ହଣ୍ଟର (୧୮୬୧-୧୯୩୭)ଙ୍କ ସ୍ବୀକାରୋକ୍ତି ବି ପ୍ରଣିଧାନଯୋଗ୍ୟ। ତାଙ୍କ କହିବାନୁଯାୟୀ ‘ପ୍ରାଚୀନ ଭାରତର ଶରୀର ବିଜ୍ଞାନୀମାନେ ଚିକିତ୍ସା କ୍ଷେତ୍ରରେ ଅତ୍ୟନ୍ତ ସାହସିକ ଓ କୌଶଳ ପୂର୍ବକ ପଦ୍ଧତି ବ୍ୟବହାର କରୁଥିଲେ। ବିଶେଷକରି ପ୍ଲାଷ୍ଟିକ ସର୍ଜରିରେ ସେମାନେ ଏତେ ପାରଙ୍ଗମ ଥିଲେ ଯେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଯାହାକୁ ଆମେ ୟୁରୋପୀୟମାନେ ତାଙ୍କଠୁ ଧାର ସୂତ୍ରରେ ଆଣି ଚିକିତ୍ସା କ୍ଷେତ୍ରରେ ଉପଯୋଗ କରୁଛୁ।’
ଏବେ ଆସନ୍ତୁ ଯିବା ଆଧୁନିକ ବିଜ୍ଞାନର ଜନକ କୁହାଯାଇଥିବା ନିଉଟନଙ୍କ ନିକଟକୁ। ଆମକୁ ଶିଖାହେଲା – ନିଉଟନ ହେଉଛନ୍ତି ମାଧ୍ୟାକର୍ଷଣ ଶକ୍ତିର ଉଦ୍ଭାବକ। ମାତ୍ର ବାସ୍ତବରେ ଭାରତୀୟ ଋଷି-ବିଜ୍ଞାନୀମାନେ ହେଉଛନ୍ତି ତାହାର ପ୍ରକୃତ ଜନକ। ନିଉଟନଙ୍କ ୫୫୦ବର୍ଷ ପୂର୍ବରୁ ଭାସ୍କରାଚାର୍ଯ୍ୟ (ଦିତୀୟ) ମାଧ୍ୟାକର୍ଷଣ ଶକ୍ତି ସମ୍ବନ୍ଧେ ନିମ୍ନମତେ ବର୍ଣ୍ଣନା କରିଛନ୍ତି – ”ଆକୃଷ୍ଟ ଶକ୍ତିଶ୍ଚ ମହୀତୟା ଯତ / ଖସ୍ତମ ଗୁରୁ ସାଭିମୁଖମ ସୱଶକ୍ତ୍ୟା / ଆକୃଷୟତେ ତତ୍‌ ପତତୀବ ଭାତି / ସମେସମନ୍ତାତ କ୍ୱ ପତତ୍ୱୟଂ ଖେ“ । ଅର୍ଥାତ୍‌ ପୃଥିବୀର ଆକର୍ଷଣ ଶକ୍ତି ଅଛି। ସେଥିରେ ସେ ଭାରି ପଦାର୍ଥକୁ ନିଜ ଆଡ଼କୁ ଆକର୍ଷିତ କରେ। ମାତ୍ର ଆକାଶର ଚାରିଦିଗେ ସମାନ ଆକର୍ଷଣ ଥିଲେ ବସ୍ତୁଟି ଶୂନ୍ୟରେ ସନ୍ତୁଳନ ରକ୍ଷାକରେ। ପୃଥିବୀବାସୀ ଯେବେ ଜାଣିଲେ ‘ପୃଥିବୀ’ ଗୋଲ ବୋଲି, ତା’ର ବହୁପୂର୍ବରୁ ତାହା ଜଣାଥିଲା ପ୍ରାଚୀନ ଭାରତକୁ। ସେହିଭଳି ଆର୍ଯ୍ୟଭଟ୍ଟ ( ୧ମ)ଙ୍କ ଗୋଲକାଧ୍ୟାୟ, ଭାସ୍କରାଚାର୍ଯ୍ୟ (୨ୟ)ଙ୍କ ସିଦ୍ଧାନ୍ତ ଶିରୋମଣିରେ ମଧ୍ୟ ଏହା ବର୍ଣ୍ଣିତ ଅଛି – ”କପିତଥ ଫଳବତ ପୃଥ୍ବୀ, ଦକ୍ଷିଣୋତ୍ତର ୟେହ ସମମ“। ଅର୍ଥାତ୍‌ କଇଁଥଫଳ ପରି ପୃଥିବୀ ଗୋଲ ।
ମାତ୍ର ଉତ୍ତର ଓ ଦକ୍ଷିଣଭାଗକୁ ସାମାନ୍ୟ ଚେପଟା। ଗାଲିଲିଓ ଓ କୋପର୍ନିକସଙ୍କ ଅନେକ ପୂର୍ବରୁ ଆର୍ଯ୍ୟଭଟ୍ଟ, ଗୋଲକାଧ୍ୟାୟରେ ଉଲ୍ଲେଖ କରିଛନ୍ତି – ”ଚଳା ପୃଥ୍ବୀ ସ୍ଥିରାଭାତି ଭୂଗୋଳ ବ୍ୟୋମନି“। ଅର୍ଥାତ୍‌ ପୃଥିବୀ ଗତିଶୀଳ କିନ୍ତୁ ସୂର୍ଯ୍ୟ ସ୍ଥିର। ଏବେ ପୁଣି ଫେରିବା ନିଉଟନଙ୍କ ପାଖକୁ। ପ୍ରାଚୀନ ଭାରତରେ ଗତିର ନିୟମ ସମ୍ବନ୍ଧେ ଋଷି କଣାଦ ଯାହା ବର୍ଣ୍ଣନା କରିଛନ୍ତି ଅବିକଳ ସେହିକଥା ନିଉଟନଙ୍କ ନିୟମ କହୁଛି। ବୈଜ୍ଞାନିକ ଡାଲ୍‌ଟନଙ୍କ ପୂର୍ବରୁ ଦୁନିଆ ଭ୍ରାନ୍ତପୂର୍ବକ କହୁଥିଲା, ଅଣୁ ହେଉଛି ଅବିଭାଜ୍ୟ। ମାତ୍ର ଡାଲ୍‌ଟନଙ୍କ କାହିଁ କେତେହଜାର ବର୍ଷ ପୂର୍ବରୁ କଣାଦ‘ବୈଶେଶିକ ସୂତ୍ରରେ’ ଅଣୁ, ପରମାଣୁ ସମ୍ବନ୍ଧେ ଠିକ୍‌ ସୂଚନା ଦେଇଥିଲେ। ଏହିପରି ଅନେକ କିଛି ରହିଛି, ଯାହା ଆମପାଇଁ ଗର୍ବ ଓ ଗୌରବର ବିଷୟ ନୁହଁକି? , ଗୋଡିଶୂଳ, ସଜନାଗଡ଼,
ବାଲେଶ୍ୱର, ମୋ – ୯୪୩୭୪୩୬୦୭୩, unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri