୨୦ବର୍ଷ ହେଲା ପାଦରେ ଶିକୁଳି

ଖଇରା, ୨୪।୩(ଡି.ଏନ.ଏ.): ୬ବର୍ଷ ବ୍ୟବଧାନରେ ପୁଅ ଝିଅ ଜନ୍ମ ହେବା ପରେ ମା ବାପାଙ୍କର ଖୁସିର ସୀମା ନ ଥିଲା ା ଝିଅଠାରୁ ପୁଅ ବଡ। ପ୍ରଥମେ ପୁଅ ଜନ୍ମ ହେବା ପରେ ପାଠ ପଢି ମଣିଷ ହେବ, ପରିଣତ ବୟସରେ ତାଙ୍କର ସେବା କରିବ ବୋଲି ମା’ ବାପା ଭାବିଥିଲେ। ହେଲେ ଭାଗ୍ୟର ବିଡମ୍ବନା ା ପ୍ରଥମେ ପୁଅ ଓ ପରେ ଝିଅର ମାନସିକ ଅବସ୍ଥା ବିଗିଡିଯାଇଥିଲା। ପୁଅଟି ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ଆଚରଣ କରିବାରୁ ୨୦ବର୍ଷ ହେଲା ଶିକୁଳି ବନ୍ଧା ହୋଇରହିଛି। ସେହିପରି ଝିଅର ମଧ୍ୟ ଅସ୍ବାଭାବିକ ଆଚରଣ ମା’ବାପାଙ୍କୁ ଗଭୀର ବ୍ୟଥିତ କରୁଛି ା ପ୍ରାୟ ୨୧ବର୍ଷ ଧରି ଏଭଳି ମୃତବତ୍‌ ଜୀବନ ବିତାଉଛନ୍ତି ବାଲେଶ୍ୱର ଜିଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ଶେରପୁର ଗ୍ରାମର ଗୋପୀନାଥ ସେଠୀ ଓ ତୁଳସୀ ସେଠୀ।
ପ୍ରଥମ ସନ୍ତାନ ଜଗତାନନ୍ଦଙ୍କୁ ଯେତେବେଳେ ୬ବର୍ଷ ହୋଇଥିଲା, ସେ ମାନସିକ ଭାରସାମ୍ୟ ହରାଇଥିଲେ। କଟକ ବଡ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲେ ହେଁ ସେଥିରେ କିଛି ସୁଧାର ଆସି ନ ଥିଲା। ଯେତେ ବୟସ ବଢୁଥିଲା ଆଚରଣ ମଧ୍ୟ ଅସ୍ବାଭାବିକ ହେଉଥିଲା। ବିବସ୍ତ୍ର ହୋଇ ବୁଲିବା ସହ ଲୋକଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ଶେଷରେ ପରିବାର ଲୋକେ ଅନ୍ୟ ଉପାୟ ନ ପାଇ ତାଙ୍କୁ ଶିକୁଳିରେ ବାନ୍ଧି ରଖିଥିଲେ। ତାଙ୍କ ଦୁଃଖ ଏତିକିରେ ଅଟକି ନ ଥିଲା।
ଦ୍ୱିତୀୟ ସନ୍ତାନ ଭାବେ ଝିଅ ଚନ୍ଦ୍ରିକା ଜନ୍ମରୁ ଠିକ୍‌ଠାକ୍‌ ଥିଲା। ସ୍କୁଲ ଯାଉଥିଲା ପଢାପଢି ମଧ୍ୟ ଠିକ୍‌ ଥିଲା ା ନବମ ଶ୍ରେଣୀ ପଢୁଥିବା ବେଳେ ସେ ମଧ୍ୟ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରିଥିଲେ। ସେ ପ୍ରାୟ ସମୟ ଚୁପଚାପ୍‌ ବସି ରହୁଛି।
ଅବାକ ହୋଇ ସମସ୍ତଙ୍କୁ ଚାହୁଁଛି ା ଏବେ ପୁଅ ଝିଅଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ମା’ ବାପା ଅକ୍ଷମ ହୋଇ ପଡିଛନ୍ତି। ତାଙ୍କୁ ସହଯୋଗର ହାତ ବଢାଇବାକୁ ପତ୍ନୀପତି ଆକୁଳ ନିବେଦନ କରିଛନ୍ତି। କେବଳ ଦିବ୍ୟାଙ୍ଗ ଭତ୍ତା ବ୍ୟତୀତ ଅନ୍ୟ କିଛି ସରକାରୀ ସହାୟତା ମିଳି ନ ଥିବା ଗୋପୀନାଥ କହିଛନ୍ତି।