୨୪ ଘଣ୍ଟା ହେଲାଣି: ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି

ରାୟଗଡ଼ା,୧୨।୨(ରଞ୍ଜନ ପଣ୍ଡା): ରାୟଗଡ଼ା ସଦର ବ୍ଲକ ଅଧୀନ କୋତାପେଟା ପଞ୍ଚାୟତ ସିଲଟିଗୁଡ଼ା ଡ୍ୟାମରେ ରବିବାର ଇଞ୍ଜିନିୟରିଂ ଛାତ୍ର ଜି.ଚୈତନ୍ୟ କୁମାର(୧୭) ବୁଡି ନିଖୋଜ ହୋଇଯାଇଛନ୍ତି। ନିଖୋଜ ହେବାର ୨୪ ଘଣ୍ଟା ପରେ ମଧ୍ୟ ସୋମବାର ଛାତ୍ରଙ୍କ କୌଣସି ପତ୍ତା ମିଳିପାରି ନାହିଁ। ଅଗ୍ନିଶମ କର୍ମଚାରୀ ଦିନ ତମାମ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନାହାନ୍ତି। ଅନ୍ୟପକ୍ଷେ ପୁଅର ନିଖୋଜକୁ ନେଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

ପ୍ରକାଶ ଥାଉକି, ସାଙ୍ଗମାନଙ୍କ ସହ ଜି.ଚୈତନ୍ୟ ସିଲଟିଗୁଡ଼ା ଡ୍ୟାମକୁ ରବିବାର ବୁଲିବାକୁ ଯାଇଥିଲେ। ହେଲେ ଡ୍ୟାମରେ ଗାଧୋଇବା ବେଳେ ଚୈତନ୍ୟ ବୁଡି କେଉଁଆଡେ ନିଖୋଜ ହୋଇଯାଇଥିଲେ । ସାଙ୍ଗମାନେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ। ଏହି ସମ୍ପର୍କରେ ପରିବାର ଲୋକେ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲା। ରାୟଗଡ଼ା ଓ କୋଲନରା ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ ମିଳିତ ଭାବେ ଡ୍ୟାମରେ ଖୋଜାଖୋଜି କରିଥିଲେ ହେଁ ଚୈତନ୍ୟଙ୍କ କୌଣସି ପତ୍ତା ପାଇ ନ ଥିଲେ।

 

Share