୩ ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ

ବଇଣ୍ଡା, ୧।୩(ଡି.ଏନ.ଏ.): ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ଅଭିମୁଖି କରିବା ପାଇଁ ସରକାର ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ହେଲେ ଅନେକ ସ୍କୁଲରେ ଏହି ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ବିଶେଷକରି ଜଙ୍ଗଲ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡିକରେ ଠିକଣା ଭାବେ ଚାଉଳ ପହଞ୍ଚାଯାଇ ପାରୁ ନ ଥିବାରୁ ସେଠାରେ ପିଲାଙ୍କୁ ମଧ୍ୟାହ୍ନଭୋଜନ ନିୟମିତ ଦିଆଯାଇପାରୁ ନାହିଁ। ଆଠମଲ୍ଲିକ ବ୍ଲକ କନ୍ତପଡା ପଞ୍ଚାୟତ କେଞ୍ଚୁଆନାଳୀ ପ୍ରାଥମିକ ବିଦ୍ୟାଳୟରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ଚାଉଳ ନ ଥିବା ଯୋଗୁ ୩ ଦିନ ହେବ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ ରହିଛି। ଫଳରେ ଛାତ୍ରୀଛାତ୍ରମାନେ ଉପାସରେ ଘରକୁ ଫେରୁଛନ୍ତି। ଏ ନେଇ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଆଠମଲ୍ଲିକ ବିଇଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି।
ଗ୍ରାମବାସୀ କହିଛନ୍ତି, ଏହି ବିଦ୍ୟାଳୟ ଜଙ୍ଗଲାଞ୍ଚଳରେ ଥିବା ଯୋଗୁ ସେଠାରେ ଆବଶ୍ୟକ ଶିକ୍ଷା ସାମଗ୍ରୀ ପହଞ୍ଚି ପାରୁନାହିଁ। ଚାଉଳ ନ ଥିବାରୁ ୩୩ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ୩ ଦିନ ହେବ ରୋଷେଇ ହୋଇପାରୁନାହିଁ। ୧୦ ଦିନ ହେବ ଚାଉଳ ସରିଯାଇଥିବାରୁ ନିକଟରେ ଥିବା ବିଦ୍ୟାଳୟରୁ ଚାଉଳ ଧାର ଅଣାଯାଇ ରୋଷେଇ କରାଯାଇଥିବା ବେଳେ ଶନିବାର ଠାରୁ ରୋଷେଇ ବନ୍ଦ ରହିଛି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଇଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ଖାଇପାରୁ ନାହାନ୍ତି। ସେହିପରି ମଇମୁରା କ୍ଲଷ୍ଟରର ଅନେକ ବିଦ୍ୟାଳୟରେ ଚାଉଳ ନ ଥିବା ଯୋଗୁ ରୋଷେଇରେ ପ୍ରତିବନ୍ଧକ ସାଜୁଥିବା କେତେଜଣ ଶିକ୍ଷକ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏ ନେଇ ପ୍ରଧାନ ଶିକ୍ଷକ ସୁଧାଂଶୁ ନାୟକ କହିଛନ୍ତି, ଚାଉଳ ଯୋଗାଣ ସମ୍ପର୍କରେ ଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ଶୁଣ୍ଢୀ କହିଛନ୍ତି, ମଙ୍ଗଳବାର ଉକ୍ତ ଅଞ୍ଚଳକୁ ଚାଉଳ ଯୋଗାଇ ଦିଆଯାଇଛି।