ଢେଙ୍କିକୋଟ,୬।୧୨(ଡି.ଏନ.ଏ.) କେନ୍ଦୁଝର ଜିଲା ଢେଙ୍କିକୋଟ ଏକ ବ୍ୟସ୍ତ ବହୁଳ ବଜାର ଭାବେ ପରିଚିତ। ଏଠାରେ ଛୋଟ ବଡ଼ ୫୦ରୁ ଉର୍ଦ୍ଧ୍ୱ ବ୍ୟବସାୟିକ ଦୋକାନ ଥିବାବେଳେ ଏହି ବଜାର ଉପରେ ଘଟଗାଁ ବ୍ଲକ ଏବଂ ପାଟଣା ବ୍ଲକର ୨୦ରୁ ଉର୍ଦ୍ଧ୍ୱ ପଞ୍ଚାୟତର ଜନସାଧାରଣ ନିର୍ଭର କରି ଚଳିଥାନ୍ତି। ଏଠାରେ ଜିଲାର ଅଗ୍ରଣୀ ବ୍ୟାଙ୍କ ଭାବେ ପରିଚିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ଏବଂ ୟୁନିୟନ ବ୍ୟାଙ୍କ ଶାଖା ବ୍ୟବସାୟୀ ତଥା ଜଣସାଧାରଣଙ୍କ ନେଣଦେଣ ନିମନ୍ତେ ରହିଥିଲେ ମଧ୍ୟ ଦୁଇ ବ୍ୟାଙ୍କ ଶାଖାରେ ସକାଳ ୧୦ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଲମ୍ବା ଧାଡି ଲାଗିରହୁଥିବାରୁ ବ୍ୟବସାୟୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଣେ ଦୀର୍ଘ ୪ ମାସରୁ ଉର୍ଦ୍ଧ୍ୱ ହେବ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ସଂଲଗ୍ନ ଏଟିଏମଟି ଅଚଳ ହୋଇ ବନ୍ଦ ହୋଇ ରହିଥିବାରୁ ଲୋକେ ବହୁ ହଇରାଣ ହେଉଛନ୍ତି। ଏନେଇ ଏଠାକାର ବଣିକ ସଂଘର ସଭାପତି ରାଜକିଶୋର ସାହୁ ସମ୍ପାଦକ ଲଲାଟେନ୍ଦୁ ସାହୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ଏ ସମ୍ପର୍କରେ ଶାଖା ପରିଚାଳକ ଘନଶ୍ୟାମ ଜେନା କହିଛନ୍ତି, ମେଶିନ ଭିତରେ କେହି ଲୁହା ରଡ୍ ଭର୍ତ୍ତି କରିଦେଇଥିବାରୁ ଯନ୍ତ୍ରାଂଶ ନଷ୍ଟ ହୋଇଯାଇଛି। ଏହା ଜାପାନର ମେଶିନ, ନୂଆ ଯନ୍ତ୍ରାଂଶ ଅର୍ଡର କରାଯାଇଛି ଏବଂ ଅଭିଯୋଗ ମଧ୍ୟ କରାଯାଇଛି। ୧୦ରୁ ୧୫ ଦିନ ମଧ୍ୟରେ ମରାମତି ହୋଇଯିବ।