୪ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ କରାଇ ଦେବାକୁ ଜିଆର୍‌ଏସ୍‌ ନେଇଥିଲେ ଲାଞ୍ଚ: ଏବେ ଟଙ୍କା ମାଗିବାରୁ ପଥର ଫୋପାଡି ମାରିଲେ

ଚାନ୍ଦବାଲି,୩୦।୦୬(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଦୋସିଙ୍ଗା ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ୍‌ ପ୍ରଧାନମନ୍ତ୍ରୀ ଆବାସ କରେଇ ଦେବା ପାଇଁ ଉକ୍ତ ପଞ୍ଚାୟତର ରାଜୁ ଜେନାଙ୍କଠାରୁ ଟଙ୍କା ଲାଞ୍ଚ ନେଇଥିଲେ। ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜୁଙ୍କୁ ଘର ମିଳି ନ ଥିଲା । ଗୁରୁବାର ସନ୍ଧ୍ୟାରେ ରାଜୁ ଲାଞ୍ଚ ଟଙ୍କା ମାଗିବାରୁ ସମ୍ପୃକ୍ତ ଜିଆର୍‌ଏସ୍‌ ଏକ ଲୁହା ଛଡ଼ରେ ରାଜୁଙ୍କୁ ଆକ୍ରମଣ କରିଥିଲେ। ରାଜୁ ତଳେ ପଡିଯିବାରୁ ଜିଆରସ୍‌ ପାଖରେ ପଡ଼ିଥିବା ଏକ ପଥର ଆଣି ରାଜୁଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ପ୍ରଚୁର ରକ୍ତବହିବାରୁ ରାଜୁ ଅଚେତ ହୋଇ ତଳେ ପଡ଼ିଥିଲେ । ଖବରପାଇ ଘଟଣାସ୍ଥଳରେ ଧାମରା ଥାନାଧିକାରୀ ପହଞ୍ଚି ରାଜୁଙ୍କୁ ଉଦ୍ଧାର କରି ଚାନ୍ଦବାଲି ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ପରେ ସମ୍ପୃକ୍ତ ଜିଆର୍‌ଏସ୍‌ ଯାଇ ଏକ ବ୍ୟାଙ୍କରେ ଲୁଚି ରହିଥିଲେ । ଧାମରା ପୋଲିସ ସମ୍ପୃକ୍ତ ଜିଆରଏସଙ୍କୁ ନେଇ ଧାମରା ଥାନାରେ ଅଟକ ରଖିଛି । ତୁରନ୍ତ ସମ୍ପୃକ୍ତ ଜିଆରଏସ୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଚାକିରିରୁ ବହିଷ୍କାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।