ବନ୍ଦ କୋଠରିରେ ବିତିଲାଣି ୫ ବର୍ଷ

ଖଇରା,୨୦।୩(ଡି.ଏନ.ଏ.)-ଭଲ ପାଇ ବିବାହ କଲେ। ୧୯ବର୍ଷ ଧରି ସୁଖର ସଂସାର କଲେ। ୨ପୁତ୍ର ସନ୍ତାନର ଜନନୀ ଓ ଜନକ ହେବାର ସୌଭାଗ୍ୟ ଅର୍ଜନ କଲେ। ଖୁସି ମଜାରେ ପୂରି ଉଠୁଥିଲା ତାଙ୍କ ପରିବାର। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ହଠାତ୍‌ ମନର ମଣିଷଙ୍କୁ ହରାଇ ବସିଲେ। ଏଭଳି ଦୁଃଖ ସହ୍ୟ କରିହେଲାନି ା ଯାହାଫଳରେ ମାନସିକ ଭାରସାମ୍ୟ ହରାଇ ବସିଲେ। କିଛି ଦିନ ଧରି ଚୁପ୍‌ଚାପ ରହିବା ପରେ ଆଲୁଅ ଏବଂ ନାରୀ ଜାତିକୁ ସହିପାରିଲେନି। ଏକ ଅନ୍ଧାରୁଆ କୋଠରିକୁ ଆପଣାର କରିନେଲେ ସେ। ଏହିଭଳି ନିବୃତ୍ତ କୋଠରିରେ ୫ବର୍ଷରୁ ଅଧିକ ସମୟ ବିତାଇଥିବା ମଣିଷ ଜଣକ ହେଲେ ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ମଛଦା ଗ୍ରାମର ଉପେନ୍ଦ୍ର ମଳିକ(୫୫) ା
ଉପେନ୍ଦ୍ର ଜଣେ ଯାତ୍ରା କଳାକାର ଭାବେ ଖଳନାୟକ ଭୂମିକାରେ ଅଭିନୟ କରି ଆଖପାଖ ଅଞ୍ଚଳରେ ବେଶ୍‌ ଚର୍ଚ୍ଚିତ ଥିଲେ। ୧୯୯୦ରେ ଅଙ୍ଗନୱାଡି କର୍ମୀ ସରୋଜିନୀ ମହାନ୍ତିଙ୍କୁ ବିବାହ କରିଥିଲେ। ଦାମ୍ପତ୍ୟ ଜୀବନ ଖୁବ୍‌ ଭଲରେ କଟୁଥିଲା। ୨୦୦୯ରେ ହଠାତ୍‌ କୌଣସି କାରଣରୁ ସରୋଜିନୀ ଆମତ୍ହତ୍ୟା କରିଥିଲେ। ତାଙ୍କୁ ଅଧିକ ଭଲ ପାଉଥିବା ଉପେନ୍ଦ୍ର ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ଧୀରେ ଧୀରେ କଥା କହିବା ଛାଡ଼ି ଦେଲେ। କୌଣସୀ ସ୍ତ୍ରୀ ଲୋକଙ୍କୁ ଦେଖିବା ମାତ୍ରେ ଗାଳିଗୁଲଜ କଲେ। ଗହଳି ଚହଳିରୁ ଦୂରେଇ ରହିଲେ ା ଅନ୍ଧାରରେ ଏକୁଟିଆ ରହିବାକୁ ପସନ୍ଦ କଲେ ା ଶେଷରେ ଗତ ୫ବର୍ଷ ହେଲା ଏକ ନିବୃତ୍ତ ଅନ୍ଧାରିଆ କୋଠରିରେ ଜୀବନ ଅତିବାହିତ କରୁଛନ୍ତି। କୌଣସି ବାହାର ବ୍ୟକ୍ତି କୋଠରିର ପରଦା ଖୋଲିବା ମାତ୍ରେ ସେ ଗାଳିଗୁଲଜ କରିବା ସହ ଢେଲାପଥର ଧରି ଆକ୍ରମଣ କରିବାକୁ ଉଦ୍ୟତ ହେଉଛନ୍ତି। କେବଳ ରାତିରେ ୨ପୁଅଙ୍କ ନିକଟରୁ କିଛି ଖାଦ୍ୟ ଗ୍ରହଣ କରୁଛନ୍ତି। ମଝିରେ ପୁଅମାନେ କଟକ ବଡ ଡାକ୍ତରଖାନା ନେଇଥିଲେ ହେଁ ବିଶେଷ କିଛି ସୁଫଳ ମିଳିପାରି ନାହିଁ। ଏଭଳି ଅସହାୟ ଅବସ୍ଥାରେ ବାପାଙ୍କ ଚିକିତ୍ସା ସାଙ୍ଗକୁ ଭତ୍ତା ଏବଂ ପ୍ରଧାନମନ୍ତ୍ରୀ ଆବାସଟିଏ ଯୋଗାଇ ଦେବାକୁ ୨ପୁଅ ନରେନ୍ଦ୍ର ଓ ବରେନ୍ଦ୍ର ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ା ସେହିଭଳି ପ୍ରଶାସନ ତାଙ୍କର ସମସ୍ତ ଚିକିତ୍ସା ଦାୟିତ୍ୱ ନେବାକୁ ସ୍ଥାନୀୟ ବାସିନ୍ଦା ତଥା ମାନବାଧିକାର ଫ୍ରଣ୍ଟ ଖଇରା ସିମୁଳିଆର ସଂଯୋଜକ କାହ୍ନୁ ଚରଣ ପାକଳ ଦାବି କରିଛନ୍ତି ା

Share