୯ ମାସ ହେଲା ଧୂଳି ଖାଉଛି ପିଏମ୍‌ କେୟାର୍ସର ୨୫ ଭେଣ୍ଟିଲେଟର…

ଦରଭଙ୍ଗା,୧୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପିଏମ୍‌ କେୟାର୍ସ ଫଣ୍ଡ୍‌ ପକ୍ଷରୁ ଯୋଗାଇ ଦିଆଯାଇଥିବା ଭେଣ୍ଟିଲେଟର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଲଗାତାର ବିବାଦ ଘେରରେ ଫଶିବାରେ ଲାଗିଛନ୍ତି। ଏବେ ବିହାର ଦରଭଙ୍ଗାରେ ଥିବା ମେଡ଼ିକାଲ କଲେଜକୁ ପିଏମ୍‌ କେୟାର୍ସ ଫଣ୍ଡ୍‌ ପକ୍ଷରୁ ୨୫ଟି ଭେଣ୍ଟିଲେଟର ଯୋଗାଇ ଦିଆଯାଇଥିଲା। ମାତ୍ର ଇତିମଧ୍ୟରେ ୯ ମାସ ବିତିଗଲେ ବି ଭେଣ୍ଟିଲେଟରଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ରାଜ୍ୟରେ ଭେଣ୍ଟିଲେଟର ଅଭାବ ଯୋଗୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ହୋଇ ନ ପାରିବାରୁ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। କିନ୍ତୁ ଭେଣ୍ଟିଲେଟରଗୁଡ଼ିକ ପଡ଼ି ରହି ଧୂଳି ଖାଉଛି। ଦରଭଙ୍ଗା ମେଡ଼ିକାଲ କଲେଜ ଅଧୀକ୍ଷକ ଡ. ମଣି ଭୂଷଣ ଶର୍ମାଙ୍କ ଅନୁସାରେ ଭେଣ୍ଟିଲେଟରଗୁଡ଼ିକ ଡ୍ରାଏ-ରନ୍‌ରେ ଅସଫଳ ହେବାରୁ ଆଇସିୟୁରେ ବ୍ୟବହାର କରାଯାଇ ପାରୁନାହିଁ। ଏଭଳି ଭେଣ୍ଟିଲେଟରରେ ରୋଗୀଙ୍କୁ ରଖିବା ବିପଦ ଜନକ ବୋଲି ସେ କହିଛନ୍ତି। ଅପରପକ୍ଷରେ ସ୍ଥାନୀୟ ଭାଜପା ବିଧାୟକ ସଞ୍ଜୟ ସରାଓଗି ଏନେଇ ଦରଭଙ୍ଗା ମେଡ଼ିକାଲ କଲେଜ ପ୍ରଶାସନକୁ ଦୋଷ ଦେଇଛନ୍ତି।

Share