କଳାକାରଙ୍କ ପାଇଁ ସହଜ ନୁହେଁ ମୋ ସହ କାମ କରିବା: ଭଂସାଲି

ମୁମ୍ବାଇ: ନାମୀଦାମୀ ଫିଲ୍ମ ମେକର ସଞ୍ଜୟ ଲିଲା ଭଂସାଲିଙ୍କ ଭବ୍ୟ ସେଟ, ମହଙ୍ଗା ଏବଂ ସାନଦାର ଫିଲ୍ମ ନିର୍ମାଣ ପାଇଁ ସେ ବେଶ ପରିଚିତ । ବଡ ପରଦାରେ ସଫଳତାର ଧ୍ୱଜା ଉଡାଇବାରେ ଆଗରେ ଥିବା ଭଂସାଲି ‘ହିରାମଣ୍ଡି’ରୁ ଡିଜିଟାଲ ଡେବ୍ୟୁ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ୧୮ ଫେବୃୟାରୀରେ ‘ହିରାମଣ୍ଡି’ର ଫାଷ୍ଟ ଲୁକ ରିଲିଜ କରାଯାଇଛି । ଫାଷ୍ଟ ଲୁକ ପ୍ରଶଂସକଙ୍କ ମଧ୍ୟରେ ୱେବ ସିରିଜକୁ ନେଇ ଉତ୍ସାହ ବଢାଇ ଦେଇଛି । ଏକ ଇଭେଣ୍ଟରେ ଭଂସାଲି ‘ହିରାମଣ୍ଡି’ ଓ ତାଙ୍କ କାମ କରିବାର ପ୍ରୋସେସକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି ।
ଇଣ୍ଡଷ୍ଟ୍ରିରେ ପାଦ ରଖୁଥିବା ପ୍ରତିଟି କଳାକାରଙ୍କର ସ୍ୱପ୍ନ ଥାଏ ଭଂସାଲିଙ୍କ ସହ କାମ କରିବା । ହେଲେ ଖୁବ୍ କମ ଲୋକଙ୍କ ଭାଗ୍ୟରେ ଏହା ମିଳିଥାଏ । ତେଣୁ କୁହାଯାଏ ଭଂସାଲିଙ୍କ ସହ ସବୁ କଳାକାର କାମ କରିବା ଏତେ ସହଜ ନୁହେଁ । ଯେତେବେଳେ ସେ ଶୁଟରେ ଥାଆନ୍ତି ସେତେବେଳେ ସେ କୌଣସି କମ୍ପରମାଇଜ କରିବାକୁ ରାଜି ହୁଅନ୍ତି ନାହିଁ । ଏହି କଥାକୁ ନେଇ ଏକ ଇଭେଣ୍ଟରେ ଭଂସାଲି କହିଛନ୍ତି, ମୁଁ କୌଣସି ଟାସ୍କ ମାଷ୍ଟର ନୁହେଁ, ହେଲେ ମୋର ଛବିକୁ ଏମିତି କରି ଦିଆଯାଇଛି କି ମୋ ସହ କାମ କରିବା ସରଳ ନୁହେଁ । ମୁଁ ସେହି କଳାକାରଙ୍କ ସହ ବସିଥାଏ, କାମକୁ ନେଇ ଚର୍ଚ୍ଚା କରିଥାଏ, ସେମାନଙ୍କ ଦିମାଗର ଉପଯୋଗ କରିଥାଏ ଆଉ ସେମାନେ ମୋର । ଆମେ ଯେତେବେଳେ ଏକାଠି ଆସୁ ସେତେବେଳେ ଏକ ମ୍ୟାଜିକ କ୍ରିଏଟ ହୋଇଥାଏ । ପରେ ଏହି ମ୍ୟାଜିକର କ୍ରେଡିଟ ମୁଁ ନେଇଥାଏ ଓ କହିଥାଏ ମୁଁ ଯାଦୁ କରିଦେଲି ।
ଭଂସାଲି ଆହୁରି ମଧ୍ୟ କୁହନ୍ତି, ଗୋଟିଏ ଫିଲ୍ମ ବହୁତ ପରିଶ୍ରମ, ଫୋକସ, ପ୍ରତିବଦ୍ଧତା ଓ ଦୃଢ ବିଶ୍ୱାସ ପରେ ନିର୍ମାଣ ହୋଇଥାଏ । ସେମାନେ ମୋତେ ଟାସ୍କ ମାଷ୍ଟର କୁହନ୍ତି, କାରଣ ମୁଁ ସେମାନଙ୍କୁ ମୋ ଭ୍ୟାନରେ ଯିବାକୁ ଦେଇ ନ ଥାଏ ଯେତେ ପର୍ଯ୍ୟନ୍ତ ସେମାନେ ମୋତେ ସଟ ଦେଇ ନ ଥାଆନ୍ତି । ଏହି ମୁହୂର୍ତ୍ତ କେବଳ ମୋ ପାଇଁ ନୁହେଁ ସେମାନଙ୍କ ପାଇଁ ବି ମୂଲ୍ୟବାନ, ଯାହା ସମସ୍ତଙ୍କ ପରିଶ୍ରମ ପରେ ଆସିଥାଏ । ‘ହିରାମଣ୍ଡି’ର କାହାଣୀ ସ୍ୱାଧିନତା ପୂର୍ବରୁ ଚାଲୁଥିବା ବେଶ୍ୟାଳୟର କାହାଣୀ ଉପରେ ଆଧାରିତ । ଫିଲ୍ମରେ ଲଭ ଧୋକା ଦେଖିବାକୁ ମିଳିବ । ‘ହିରାମଣ୍ଡିରେ ଅଦିତି ରାୟ ହୈଦରି, ସୋନାକ୍ଷି ସିହ୍ନା, ଋଚା ଚଢା, ସଂଜିଦା ଶେଖ, ମନିଷା କୋଇରାଲା ଏବଂ ଶରମିନ ସହଗଲ ଲିଡ ରୋଲରେ ନଜର ଆସିବେ ।

Share