ପଦ୍ମଫୁଲ ତୋଳିବା ହେଲା କାଳ

ଝାରସୁଗୁଡ଼ା ଅଫିସ୍‌,୧୩।୬: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ତାଳବେର୍ଣ୍ଣା ଗ୍ରାମର ଏକ ପୋଖରୀରେ ରବିବାର ପଦ୍ମଫୁଲ ତୋଳିବାକୁ ଯାଇଥିବା ଜଣେ ବ୍ୟକ୍ତି ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଚାରପାଲି ନୂଆଗାଁର ଯୁଧିଷ୍ଟିର ରୋହିଦାସ(୪୮)। ଏନେଇ ତାଙ୍କ ପୁଅ ସୁଧୀର ରୋହିଦାସ କୁମ୍ଭାରବନ୍ଧ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ବନହରପାଲି ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୯/୨୧) ରୁଜୁ କରି ତଦନ୍ତ ଚଳାଇଛି ା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଯୁଧିଷ୍ଟିର ପଦ୍ମଫୁଲ ଓ ଏହାର କନ୍ଦା କାଢିବା ପାଇଁ ପୋଖରୀରେ ପଶିଥିଲେ। ହେଲେ କୌଣସି କାରଣକୁ ନେଇ ସେ ପାଣିରେ ବୁଡିଯାଇଥିଲେ। ପୋଖରୀ ତୁଠରେ ଗାଧୋଉଥିବା ଲୋକେ ଏହା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ।

Share