ଓଡ଼ିଆ ଚଳଚ୍ଚିତ୍ର ସମ୍ପ୍ରତି ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ପରି ମନେହୁଏ। କାରଣ ବାର୍ଦ୍ଧକ୍ୟପୀଡ଼ିତ ମଣିଷ ଯେପରି ନାନାଦି ସମସ୍ୟାକୁ ସାମ୍ନାକରେ ଆମ ଚଳଚ୍ଚିତ୍ର ଶିଳ୍ପଟିର ଅନୁରୂପ ଅବସ୍ଥା। ଏହା ସତ୍ତ୍ୱେ ଚଳଚ୍ଚିତ୍ର ପରେ ଚଳଚ୍ଚିତ୍ର ନିର୍ମିତ ହୋଇଚାଲିଛି, ଯାହାକୁ ନେଇ ଚିତ୍ର ବିଶେଷଜ୍ଞଙ୍କ କଥା ଛାଡ଼ନ୍ତୁ; ସାଧାରଣ ଦର୍ଶକଙ୍କ ମଧ୍ୟରେ ବି ସନ୍ଦେହ ସୃଷ୍ଟିହେଲାଣି। ପ୍ରେକ୍ଷାଳୟ ସଂଖ୍ୟା ଯେତିକି କମୁଛି ଚଳଚ୍ଚିତ୍ର ସଂଖ୍ୟା ସେତିକି ବଢୁଛି। ବର୍ଷକରେ ଚଳଚ୍ଚିତ୍ର ନିର୍ମାଣ ସଂଖ୍ୟା ଯାଇ ୩୫/୪୦ ଛୁଇଁଲାଣି। ପ୍ରେକ୍ଷାଳୟରେ ସିନେମା ଚାଲୁନାହିଁ, ପ୍ରଯୋଜକମାନେ ଅର୍ଥ ଫେରି ପାଉନାହାନ୍ତି। ତଥାପି ସିନେମା ତିଆରି ଚାଲିଛି। ନିର୍ଦ୍ଦେଶକମାନେ ଚିତ୍ର ନିର୍ମାଣର ମାୟାରେ ନୂଆନୂଆ ପ୍ରଯୋଜକଙ୍କୁ ବାୟା କରିବାରେ ସଫଳ ହୋଇ ଚାଲିଛନ୍ତି। ଗୋଟିଏ କଥା ଆଶ୍ଚର୍ଯ୍ୟ କରୁଛି ଯେ, ପ୍ରଯୋଜକଙ୍କ ସଂଖ୍ୟାଠାରୁ ନୂଆ ନିର୍ଦ୍ଦେଶକ ଏବଂ ନୂଆନୂଆ କଳାକାରଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଏତେସବୁ ସତ୍ତ୍ୱେ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ନବଜାଗରଣ କାହିଁକି ସୃଷ୍ଟି ହେଉନାହିଁ ତାହା ଏକ ମୌଳିକ ପ୍ରଶ୍ନ। କେବଳ କପିକ୍ୟାଟ୍ ସାଜି ଅଣଓଡ଼ିଆ ଚଳଚ୍ଚିତ୍ରକୁ ଆଣି ଓଡ଼ିଆ ଫ୍ରେମ୍ରେ ପକେଇଲେ କେବେ ଯେ ଓଡ଼ିଆ ଦର୍ଶକେ ତାକୁ ଗ୍ରହଣ କରିବେ ନାହିଁ ସେକଥାକୁ ଆମର ଚଳଚ୍ଚିତ୍ର ବାବୁମାନେ ବୁଝିବା ଦରକାର। ସାମାଜିକ ମୂଲ୍ୟବୋଧଭିତ୍ତିକ କାହାଣୀ, ଗଠନମୂଳକ ସଂଳାପ, ସର୍ବୋପରି ରୁଚିପୂର୍ଣ୍ଣ ସଙ୍ଗୀତ ହେଉଛି ଗୋଟେ ଚଳଚ୍ଚିତ୍ରକୁ ଆଦୃତି ଲାଭ କରେଇବାର ପ୍ରାଥମିକ କଞ୍ଚାମାଲ। ଏସବୁର ପ୍ରଚଣ୍ଡ ଅଭାବବୋଧ ଆମର ସାମ୍ପ୍ରତିକ ଚଳଚ୍ଚିତ୍ରରେ ବିଶେଷଭାବରେ ଅନୁଭୂତ ହେଉଛି ଯାହାକୁ ଏକ ଭଲ ପରମ୍ପରା ବୋଲି କୁହାଯାଇ ନ ପାରେ। ଏହା ପ୍ରତି ସଚେତନ ନ ହେଲେ ଚଳଚ୍ଚିତ୍ର ଶିଳ୍ପ ଯେ ବିଶୃଙ୍ଖଳିତ ହେବ, ଏଥିରେ ସନ୍ଦେହର ଦିରୋକ୍ତି ନାହିଁ। ଆମ ଓଡ଼ିଆ ଚଳଚ୍ଚିତ୍ରକୁ ସରକାର ଶିଳ୍ପର ମାନ୍ୟତା ଦେଇଛନ୍ତି। ହେଲେ ସେଥିପ୍ରତି କାହାର ଦରଦ ଥିବା କଥା ମନେ ହେଉନାହିଁ। ଏବେ ଅନୁଶୋଚନାର ବେଳ ଆସିଛି। ଗୋଟିଏ କଥା ମନେରଖିବା ଦରକାର ଯେ, ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ ସାମୂହିକ ସହଯୋଗ ଆବଶ୍ୟକ। ଦର୍ଶକମାନଙ୍କୁ ଫେରାଇ ଆଣିବାକୁ ହେଲେ ଭଲ ସିନେମାର ଆବଶ୍ୟକତା ରହିଛି।
– ଦିଲୀପ ହାଲି, ଭୁବନେଶ୍ୱର,
ମୋ : ୯୮୬୧୦୦୯୨୫୨