Categories: ଜାତୀୟ

‘ବିଶ୍ରାମ ନେବା ସମୟ ଆସିଯାଇଛି’

ଡେରାଡୁନ୍‌,୨୨।୧୨: ଆସନ୍ତା ବର୍ଷ ଆରମ୍ଭରେ ଉତ୍ତରାଖଣ୍ଡ ବିଧାନସଭା ନର୍ବାଚନ ହେବାକୁ ଥିବାବେଳେ କଂଗ୍ରେସର ଟ୍ରବୁଲ୍‌ ଶୁଟର ଭାବେ ପରିଚିତ ବରିଷ୍ଠ ନେତା ହରିଶ ରାଓ୍ବତ୍‌ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୩ ବର୍ଷୀୟ ରାଓ୍ବତ୍‌ ଦଳରେ ନିଜକୁ ଅସହାୟ ମନେ କରିବା ସହ ଭଗବାନଙ୍କ ମାର୍ଗଦର୍ଶନ ଚାହିଁଛନ୍ତି। ସେ ବହୁତ କିଛି କରିଛନ୍ତି, ହେଲେ ଦଳ ତାଙ୍କୁ ସହଯୋଗ କରୁ ନ ଥିବା ରାଓ୍ବତ୍‌ ଟୁଇଟ୍‌ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଏଭଳି ଟୁଇଟ୍‌ ଦଳରେ ବିଦ୍ରୋହର ସୂଚନା ଦେଉଥିବା ଚର୍ଚ୍ଚା ହେଉଛି।
ଗାନ୍ଧୀ ପରିବାରର ଘନିଷ୍ଠ ଭାବେ ଜଣାଶୁଣା ରାଓ୍ବତ୍‌ କାହାର ନାଁ ନ ନେଇ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି। ଆଗାମୀ ନିର୍ବାଚନରେ କ୍ଷମତାକୁ ଫେରିବା ଲାଗି କଂଗ୍ରେସ ଲକ୍ଷ୍ୟ ରଖିଥିବାବେଳେ ନିର୍ବାଚନ ସମୁଦ୍ର ପାର ହେବା ଲାଗି ସହାୟତା କରିବା ପରିବର୍ତ୍ତେ ସଂଗଠନ ତାଙ୍କଠାରୁ ମୁହଁ ଫେରାଇ ନେଉଛି କିମ୍ବା ନକରାତ୍ମକ ଭୂମିକା ନିଭାଉଛି ବୋଲି ରାଓ୍ବତ୍‌ ଲେଖିଛନ୍ତି। ଯେଉଁମାନେ ତାଙ୍କୁ ସହଯୋଗ କରିବେ ବୋଲି ସେ ଭାବୁଥିଲେ, ସେମାନେ ତାଙ୍କ ହାତଗୋଡ଼ ବାନ୍ଧି ଦେଇଛନ୍ତି। ମୁଁ ବହୁତ ବାଟ ଚାଲିଆସିଛି, ଏବେ ବିଶ୍ରାମ ନେବା ସମୟ ବୋଲି ସେମାନଙ୍କ କାର୍ଯ୍ୟରୁ ଅନୁଭୂତ ହେଉଥିବା ଉତ୍ତରାଖଣ୍ଡରେ କଂଗ୍ରେସ ନିର୍ବାଚନ ପ୍ରଚାରର ମୁଖ୍ୟ ହରିଶ ରାଓ୍ବତ୍‌ କହିଛନ୍ତି।

Share