
ଛତ୍ରପୁର,୧୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପୋଡ଼ମପେଟା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଆଜି ସକାଳୁ ସମସ୍ତ ଗାଁ ଓ ସହରରେ ଯେମିତି ହୋଲି ଖେଳକୁ ନ଼େଇ ଚଳଚଞ୍ଚଳ ଥିଲା ସେମିତି ପୋଡ଼ମପେଟା ଗ୍ରାମରେ ଛୋଟ ଛୁଆଠୁ ଆରମ୍ଭ କରି ସମସ୍ତେ ହୋଲିରେ ମସଗୁଲ ଥିଲେ। କିନ୍ତୁ ଦ୍ୱିପ୍ରହର ୧୧ ସମୟରେ ସେହି ଗ୍ରାମର ମତ୍ସ୍ୟଜିବୀ ବି.ବାବାଜୀ ଙ୍କ ପୁଅ ବି.ଚନ୍ଦନ (ଚନ୍ଦୁ) ଯାହାଙ୍କ ବୟସ ୧୧ ବର୍ଷ , ସାଙ୍ଗ ମାନଙ୍କ ସହ ହୋଲି ଖେଳ ସାରି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଅସାବଧନତା ହେତୁ ଦୁଇଟି ଛାତ୍ର ବୁଡି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଯୁବକ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଗଞ୍ଜାମ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଜଣେ ଛାତ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବାବେଳେ ଚନ୍ଦୁଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିଲା l ତାଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କଲାପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ଛତ୍ରପୁର ମେଡିକାଲ ପରିସର ଶୋକର ଛାୟା ଖେଳିଯାଇଥିଲା। କାରଣ ସବୁ ଅଞ୍ଚଳରେ ଆଜି ଖୁସି ବାତାବରଣ ଦେଖିବାକୁ ମିଳୁଥିଲା ବେଳେ ନିରୀହ ନିଷ୍ପାପ ଛୁଆଟି ଖୁସିକୁ ହରାଇ ଆରପାରିକୁ ଚାଲିଯିବା ସମସ୍ତଙ୍କ ମନକୁ ସ୍ତବ୍ଦ କରିଦେଇଛି।