ଲୋକଙ୍କୁ ପ୍ରଥମ ଡୋଜ୍‌ ମିଳି ନଥିବା ବେଳେ ବୁଷ୍ଟର ଡୋଜ୍‌ ସମ୍ପର୍କରେ କହିବା ଯୁକ୍ତିହୀନ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ…

ଜେନେଭା,୧୪।୧୧: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। କେତେକ ଦେଶରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ଦୁଇ ଡୋଜ୍‌ ଟିକାପରେ ବୁଷ୍ଟର ଡୋଜ୍‌ ନେଇ କେତେକ ଦେଶରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିସ୍ଥଳେ ବିଶ୍ୱ ସୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ବୁଷ୍ଟର୍‌ ଡୋଜ ବିଷୟରେ ବଡ଼ ବିବୃତ୍ତି ଦେଇଛନ୍ତି।

ଭାରତ ସମେତ ଅନେକ ଦେଶରେ, କରୋନାଭାକ୍ସିନର ଦୁଇଟି ଡୋଜ ପରେ ବୁଷ୍ଟର ଡୋଜ ପ୍ରୟୋଗ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଡବ୍ଲ୍ୟୁଏଚ୍‌ଓ କହିଛନ୍ତି ଯେ ଏହା ଠିକ୍‌ ନୁହେଁ। ଅନେକ ଲୋକ ଟିକାର ପ୍ରଥମ ଡୋଜ୍‌ ନେଇ ନ ଥିବାବେଳେ ବୁଷ୍ଟର ଡୋଜ୍‌ ବିଷୟରେ କହିବା ଠିକ୍‌ ନୁହେଁ। ବହୁ ଗରିବ ଦେଶରେ ମଧ୍ୟ ଟିକାଦାନ ଅଭିଯାନ ଆରମ୍ଭ ହୋଇ ନାହିଁ। ଚଳିତ ବର୍ଷ ଅଗଷ୍ଟରେ, ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ବୁଷ୍ଟର୍‌ ଡୋଜ୍‌ ବିଷୟରେ ଏକ ବିଶ୍ୱସ୍ତରୀୟ ମୋନୋଟୋରିୟମ ଡକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ବୈଠକ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ସମୟରେ, ଜର୍ମାନୀ, ଇସ୍ରାଏଲ, କାନାଡା ଏବଂ ଆମେରିକା କୌଣସି ଆଲୋଚନା ବିନା ବୁଷ୍ଟର୍‌ ଡୋଜ ଦେବା ଆରମ୍ଭ କରିଛନ୍ତି।

ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ କହିଛନ୍ତି ଯେ ସୁସ୍ଥ ବୟସ୍କ ତଥା ଟିକାନେଇଥିବା ଯୁବବର୍ଗଙ୍କୁ ବୁଷ୍ଟର ଡୋଜ ଦେବା ସମ୍ପୂର୍ଣ୍ଣ ଅଯୌକ୍ତିକ। ଯେତେବେଳେ ବୃଦ୍ଧ, ସ୍ବାସ୍ଥ୍ୟ କର୍ମୀ ଏବଂ ଅଧିକ ବିପଦପୂର୍ଣ୍ଣ ଗୋଷ୍ଠୀ ଏବେ ବି ପ୍ରଥମ ଡୋଜ ପାଇବାକୁ ଅପେକ୍ଷା କରି ବସିଛନ୍ତି। ସେହିପରି ଗରିବ ଦେଶଗୁଡିକ ଅଧିକ ଟିକା ପାଇବା ଉଚିତ।
ଧନୀ ଦେଶଗୁଡ଼ିକରେ ଟିକାକରଣ ଦ୍ରୁତ ଗତିରେ ଜାରି ରହିଛି। ଡବ୍ଲ୍ୟୁଏଚ୍‌ଓ ଦ୍ୱାରା ବାରମ୍ବାର ବାରଣ ସତ୍ତ୍ୱେ ସେସବୁ ଦେଶରେ ଜାଣିଶୁଣି ଅତିରିକ୍ତ ବୁଷ୍ଟର ଡୋଜ ଦିଆଯାଉଛି। ଏପରିସ୍ଥଳେ ଗରିବ ଦେଶଗୁଡିକୁ ଅଧିକ ମାତ୍ରାରେ ପ୍ରଥମ ଡୋଜ୍‌ ଯୋଗାଇ ଦିଆଯିବା ଆବଶ୍ୟକ।

ଡବ୍ଲ୍ୟୁଏଚ୍‌ଓ ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରିୟାନ କହିଛନ୍ତି ଯେ ଧନୀ ଦେଶମାନଙ୍କ ମଧ୍ୟରେ ଅଧିକ ଟାର୍ଗେଟେଡ ପ୍ରୟାସ ମଧ୍ୟ ଆବଶ୍ୟକ। କିନ୍ତୁ ସେସବୁ ଦେଶରେ ଅନେକ ଲୋକ ଟିକା ନେବାକୁ ମନା କରି ଦେଇଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଟିକାକରଣ ସାର୍ବଜନୀକ ଭାବେ ହେବା ଆବଶ୍ୟକ। ସେ ନିକଟରେ ହୋଇଥିବା ବ୍ରିଟିଶ ଅଧ୍ୟୟନକୁ ଦର୍ଶାଇ କହିଛନ୍ତି ଯେ ଟିକାନେଇଥିବାଙ୍କ ଅପେକ୍ଷା ଟିକା ନନେଇ ଥିବା ଲୋକଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିବାର ଆଶଙ୍କା ୩୨ ଗୁଣା ଅଧିକ।

Share