ଆସିଲାଣି ଭୋଟ୍‌ ବେଳ

ଭୋଟ୍‌ ବେଳ ଆସିଲାଣି। ସବୁ ନେତା, କର୍ମୀ ଚଳଚଞ୍ଚଳ ହେଲେଣି। ରାଜଧାନୀର ନେତାଗଣ ଏବେ ଗଁାମୁହଁା। ଖବରକାଗଜମାନଙ୍କରେ ପୂର୍ବ ସରକାରର ପାରିବାପଣିଆର ଘନ ଘନ ବିଜ୍ଞାପନ ପ୍ରକାଶ ପାଇଲାଣି। ବିରୋଧୀ ଦଳରେ ଥିବା ନେତା ମଧ୍ୟ ସରକାରଙ୍କ ଦୋଷ ଦୁର୍ବଳତା ଉପରେ ବାର୍‌ ବାର୍‌ ଆଲୋଚନା କଲେଣି। ଗଁାରେ ସବୁ ଦଳର କର୍ମୀ ବୁଢ଼ୀବୁଢ଼ା ଯେଉଁମାନଙ୍କର ଭତ୍ତା ହୋଇନାହିଁ, ସେମାନଙ୍କଠାରୁ ପର୍‌ଚିରେ ଟିପଚିହ୍ନ ନେଉଛନ୍ତି, ତାଙ୍କ ଦଳ ଆସିଲେ ନିଶ୍ଚୟ ହେବାର ଆଶ୍ୱାସନା ଦେଲେଣି। ଯାହାର ଆବାସ ହୋଇନାହିଁ, ତାକୁ ସଭିଏଁ ଆଶ୍ୱାସନା ଦେଉଛନ୍ତି ଆଗିଲାକୁ ହେବ ନିଶ୍ଚିତ।
ଗଁା ମୁଣ୍ଡରେ, ଛକ ବଜାରରେ ସନ୍ଧ୍ୟାବେଳ ମେଳି ବଢ଼ିଲାଣି। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ କଥାର ଆଲୋଚନା ବେଶ୍‌ ବଢ଼ିଗଲାଣି, ଶୁଣିଲେ ଆମୋଦ ଲାଗୁଛି ମଧ୍ୟ। କିଛି ଶିକ୍ଷିତ ଯୁବକ ନିଜର ଆକ୍ରୋଶ ପ୍ରକାଶ କରୁଛନ୍ତି ହିସାବ କରି। ଲୋକଗୁଡ଼ାକ ବୁଝୁନାହାନ୍ତି, ପାଞ୍ଚଶ ଟଙ୍କା ନେଇ ଭୋଟ୍‌ ଦେଉଛନ୍ତି। ଆହା ପାଞ୍ଚବର୍ଷ ପାଇଁ ପାଞ୍ଚଶ ଟଙ୍କା। ଦିନକୁ ପଡ଼ିଲା ସତେଇଶ ପଇସା।
ଭୋଟ୍‌ ବେଳ ଯେହେତୁ ଆସୁଛି, ସବୁ ରାଜନୈତିକ ଦଳର ମିଶ୍ରଣ ପର୍ବ ପ୍ରତିଦିନ ଅନୁଷ୍ଠିତ ହେଉଛି। ଏପରି ହେଉଛି, ଅନେକ କର୍ମୀଙ୍କ ମୁହଁ ଏକାଧିକ ରାଜନୈତିକ ଦଳର ମିଶ୍ରଣ ପର୍ବରେ ଦେଖିବାକୁ ମିଳୁଛି। ମିଶ୍ରଣ ପର୍ବ ବି ପ୍ରାୟୋଜିତ ହୋଇଗଲାଣି। ସବୁ ରାଜନୈତିକ ଦଳର ସାମାଜିକ ଗଣମାଧ୍ୟମ ଅତ୍ୟଧିକ କର୍ମତପତ୍ର ହୋଇଉଠିଲାଣି। ଅନେକ ସୁପ୍ତ ଅନୁଷ୍ଠାନର ପଦପଦବୀରେ ଥିବା ମଣିଷ ମୁହଁ ଦେଖାଇଲେଣି। କେହି କେହି କହୁଛନ୍ତି, ସବୁ ଭୋଟ୍‌ର କମାଲ୍‌।
ରାଜନୈତିକ ନେତାଗଣ ନିଜ ନିଜ ରାଜନୈତିକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗଦେଉଛନ୍ତି, କାଳେ ନିର୍ବାଚନୀ ଟିକଟ ନିଜ ଦଳରୁ ନ ମିଳିବା ଆଶଙ୍କାରୁ। କିନ୍ତୁ ସଫେଇ ଦେଉଛନ୍ତି, ନିର୍ବାଚନମଣ୍ଡଳୀର ସ୍ବାର୍ଥ କଥା କହି ଅବା କର୍ମୀ କୁଆଡ଼େ ଚାହୁଁଛନ୍ତି, ସେ ଅମୂକ ଦଳକୁ ଯାଆନ୍ତୁ ବୋଲି। କେହି କେହି ନେତା ଯେଉଁ ଦଳକୁ ସମାଲୋଚନା କରୁଥିଲେ, ସେହି ଦଳର ପ୍ରାଥମିକ ସଦସ୍ୟ ପଦ ଗ୍ରହଣ କଲେଣି। ଲୋକଙ୍କ ପ୍ରଶ୍ନର ଉତ୍ତରରେ କହୁଛନ୍ତି, ରାଜନୀତିରେ କେହି ଶତ୍ରୁ ନୁହନ୍ତି କି କେହି ମିତ୍ର ନୁହନ୍ତି ବୋଲି।
କେହି କେହି ରାଜନେତା ଧର୍ମକୁ, ଜାତିକୁ, ଆଞ୍ଚଳିକତାକୁ ଆୟୁଧ କଲେଣି ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ। ସେହି ଅନୁସାରେ ପାଗ ଭିଡ଼ିଲେଣି। ଆଉ କେହି କେହି ବନ୍ଧୁମିଳନ ଆରମ୍ଭ କଲେଣି ତ କେହି ସମ୍ପର୍କ ସଭା ଆରମ୍ଭ କଲେଣି ନିଜର ପରିଚିତି, ନିଜର ଦାମ୍ଭିକତା ଜାହିର କରିବା ପାଇଁ। କେହି କେହି ମୁଖିଆ କର୍ମୀ ନେତାଙ୍କୁ ଦେଖିଲେ, ବିରୁଦ୍ଧରେ ବିଷୋଦ୍‌ଗାର କରୁଛନ୍ତି। ଏହା ମାଧ୍ୟମରେ ନେତାଙ୍କ ନିକଟତର ହେବେ, ତା’ ବଦଳରେ ପକେଟ୍‌ ଗରମ କରିବେ।
ନରିଆ ଜେଜ ଭାରି ହସମୁଖୁରା। ସୂର୍ଯ୍ୟ ବୁଡ଼ିଲେ ବେତାରୁ କୁର୍ତ୍ତା ବାହାର କରି, ତାକୁ ପିନ୍ଧି ଛକଆଡ଼େ ଯିବା ଆରମ୍ଭ କଲେଣି। ମାଧିଆ ଭାଇ ଚା’ ଦୋକାନରେ ଚା’ ଟିକେ ପିଇ, ସେ ଯେଉଁ ରାଜନୀତି କଥା ଆଲୋଚନା କରୁଛନ୍ତି, ତାକୁ ଶୁଣିବାକୁ ଅନେକେ ଆଗ୍ରହ ପ୍ରକାଶ କରୁଛନ୍ତି। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆଲୋଚନା। ତାହା ପୁଣି ଖଣ୍ଡି ତଥ୍ୟଆଧରିତ। ଭାରି କୌତୁକିଆ। କେହି କେହି ମୁରୁକାହସା ମାରୁଛନ୍ତି। ସେ ରାଜନୀତିର ଧାର ଧାରନ୍ତି ନାହିଁ। ବିଚରା ଭାରି ଭଲ ଲୋକ। କାହାଠାରୁ ପଇସାଟିଏ ନିଏ ନାହିଁ। ଏଇଟା ତାଙ୍କର ଗୋଟେ ଖୁସି ଆଉ।
ଯୁବଗୋଷ୍ଠୀ ଦଳ ଦଳ ହୋଇଗଲେଣି ଅଦୃଶ୍ୟ ଚାପର ଆଧାରରେ। ହାତରେ ଥିବା ମୋବାଇଲରୁ ଅନେକ ତଥ୍ୟ ପାଉଛନ୍ତି। ରାଜନୀତି କଥା କଟାକଟିରେ ସମସ୍ତେ ଗୋଟେ ଗୋଟେ ବିଶେଷଜ୍ଞ ବୋଲି ଜଣାପଡ଼ୁଛନ୍ତି। ଗଁାର ସ୍ତ୍ରୀଲୋକଙ୍କ ମଧ୍ୟରେ ରାଜନୈତିକ ଆଲୋଚନା କିଛି କିଛି ଆରମ୍ଭ ହେଲାଣି। ସେମାନେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମ ଯୋଗୁ ବାର୍‌ ବାର୍‌ ଏକାଠି ହେବା, ବାର୍‌ ବାର୍‌ ବ୍ୟାଙ୍କ ଯାଇ, ବ୍ଲକ୍‌ ଅଫିସ୍‌ ଯାଇ, ସେମାନଙ୍କ ମଧ୍ୟରେ କିଛି ଜାଗୃତି ସୃଷ୍ଟି ହେଲାଣି। ସେମାନଙ୍କ ଆଲୋଚନା ଆହୁରି ଆମୋଦଦାୟକ ହେଉଛି।
ଦେଶର ମୁଖ୍ୟ ନିର୍ବାଚନ କମିଶନର ପ୍ରାକ୍‌ ପ୍ରସ୍ତୁତିରେ ଭୁବନେଶ୍ୱର ଆସି ଘୋଷଣା କଲେଣି ନିର୍ବାଚନରେ କୋଣସି ନିର୍ଦ୍ଦିଷ୍ଟ ଦଳକୁ ସୁହାଇବା ଭଳି କୌଣସି ପକ୍ଷପାତ ନିଷ୍ପତ୍ତି ପ୍ରଶାସନ ନେଇପାରିବ ନାହିଁ। ସେଇଟି ହିଁ ଭାରତର ବୃହତ୍‌ ଗଣତନ୍ତ୍ରର ମୂଳମନ୍ତ୍ର। ତିନି ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ଥିବା ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ମଧ୍ୟ ହେଲାଣି।
ସାମ୍ବାଦିକ ଭାଇମାନଙ୍କ ଧାଁଦଉଡ଼ ଆରମ୍ଭ ହୋଇଗଲାଣି। ମୋବାଇଲ ଖବର ଚ୍ୟାନେଲ ସାମ୍ବାଦିକ ଭାଇମାନଙ୍କ ସଂଖ୍ୟା ଟିକେ ଅଧିକ। ସେମାନେ ଯଦିଓ କିଛି ବି ପ୍ରାପ୍ୟ ପାଆନ୍ତିନି କିନ୍ତୁ ତାଙ୍କ ମାର୍ଫତ୍‌ ଖବର ବାଜିଲେ, ସେମାନେ ଟିକେ ଖୁସି ହୁଅନ୍ତି। ସେମାନଙ୍କ ଯୋଗୁ ବି ଅନେକ ଖବର ପ୍ରସାରିତ ହୋଇପାରୁଛି। ପ୍ରଶାସନର ନଜର ପଡ଼ୁଛି। ସଭିଙ୍କ ହାତରେ ମୋବାଇଲ ଯୋଗୁ, ରାଜନେତାଙ୍କ ଆଗ୍ରହ ବି ବଢ଼ୁଛି, ନିଜ ବିଷୟରେ ପ୍ରଚାରସବୁ ଏଇମାନଙ୍କ ମାଧ୍ୟମରେ।
ଆମେ ସ୍ବାଧୀନତା ପାଇଲେଣି ଅନେକ ଯୁଗ ହେଲାଣି। ରାଜନୈତିକ ଅଧିକାର ବୋଇଲେ, ଭୋଟ ଦେବା ଅଧିକାର ଖାଲି। ଆମର ରାଜନୈତିକ ସାକ୍ଷରତା କମ୍‌। ଆମେ ବୁଝିପାରୁନା ଭୋଟ ଗଣିତର ହିସାବ। ସାଧାରଣ ଜନତା ଧର୍ମୀୟ, ଜାତି ଭିତ୍ତିକ, ଆଞ୍ଚଳିକବାଦ୍‌ର ପଶାପାଲିରେ ରାଜନେତାଙ୍କ ଦ୍ୱାରା ଛନ୍ଦି ହୋଇଗଲେ ଅନେକ କ୍ଷତି ଘଟିଥାଏ। ଏଥିପ୍ରତି ସଜାଗ ହେବା ଜରୁରୀ। ବିକାଶ ପାଇଁ ସ୍ବର ଉଠାଉଥିବା ନେତାଙ୍କୁ ହିଁ ବାଛିବାରେ ଗଣତନ୍ତ୍ର ସୁଦୃଢ଼ ହେବ। ସଚେତନ ନାଗରିକ ହିଁ ଦେଶର ଅସଲ ଶକ୍ତି। ସଚେତନ ଭୋଟର ହିଁ ଗଣତନ୍ତ୍ରକୁ ସୁଦୃଢ଼ କରିଥାନ୍ତ।

– ଗଣେଶ୍ୱର ନାୟକ
ଗୋଗଳ, କାଏମା, ଯାଜପୁର
ମୋ: ୯୭୭୭୭୪୯୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri