ସଂକ୍ରମଣ କମାଉଛି ଆଇଭର୍‌ମେକ୍ଟିନ୍‌

ଭୁବନେଶ୍ୱର,୬ା୧୧(ବ୍ୟୁରୋ):କୋଭିଡ୍‌-୧୯ ସଂକ୍ରମଣକୁ ଅନେକାଂଶରେ ରୋକିବାରେ ସହାୟକ ହେଉଛି ଆଇଭରମେକ୍ଟିନ ପ୍ରୋଫିଲାକ୍ସିସ୍‌ ଔଷଧ। ଆଇଭରମେକ୍ଟିନର ଦୁଇ ଡୋଜ୍‌ରେ ସଂକ୍ରମଣ ୭୩% ପର୍ଯ୍ୟନ୍ତ କମିଯାଉଥିବା ଭୁବନେଶ୍ୱର ଏମ୍‌ସ ଦାବି କରିଛି। କୋଭିଡ୍‌ ଚିକିତ୍ସା ଓ ଏହାର ପ୍ରତିକାର ଉପରେ ଏମ୍‌ସ ପକ୍ଷରୁ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଗତ ସେପ୍ଟେମ୍ବର୨୦ରୁ ଅକ୍ଟୋବର ୧୯ ମଧ୍ୟରେ ଏହି ଗବେଷଣା କରାଯାଇଥିଲା। ସଂକ୍ରମଣ ରୋକିବାରେ ଆଇଭରମେକ୍ଟିନ ଫଳପ୍ରଦ ହୋଇଥିବା ଓ ଏହା ଏକ ଲାଭଦାୟକ ଔଷଧ ବୋଲି ଏମ୍‌ସ କହିଛି।
ସୂଚନା ଅନୁଯାୟୀ, କୋଭିଡ୍‌ ସଂକ୍ରମଣ ରୋକିବାରେ ଆଇଭରମେକ୍ଟିନ ପ୍ରୋଫିଲାକ୍ସିସ୍‌ର ଭୂମିକା ସମ୍ପର୍କରେ ଅବଗତ ହେବାକୁ ଏମ୍‌ସ ଅନୁସନ୍ଧାନ କରିଥିଲା। ସ୍ବାସ୍ଥ୍ୟକର୍ମୀଙ୍କ ଦୁଇଟି ଗୋଷ୍ଠୀଙ୍କୁ ନେଇ ହୋଇଥିବା ଏହି ଗବେଷଣାରେ ୧୨ଜଣ ବିଶେଷଜ୍ଞ ଡାକ୍ତର ସାମିଲ ହୋଇଥିଲେ। ସ୍ବାସ୍ଥ୍ୟକର୍ମୀଙ୍କ ଗୋଟିଏ ଗୋଷ୍ଠୀଙ୍କୁ ୭୨ଘଣ୍ଟା ବ୍ୟବଧାନରେ ଆଇଭରମେକ୍ଟିନର ଦୁଇଟି ଡୋଜ୍‌ ଦିଆଯାଇଥିଲା। ଶରୀର ଓଜନର ପ୍ରତି ଏକ କିଲୋଗ୍ରାମ ପିଛା ୩୦୦ ମାଇକ୍ରୋଗ୍ରାମ ଆଇଭରମେକ୍ଟିନ ଦିଆଯାଇଥିଲା। ସେହିଭଳି ଅନ୍ୟଏକ ଗୋଷ୍ଠୀକୁ ଅନ୍ୟ ଏକ ପ୍ରୋଫିଲାକ୍ସିସ୍‌ ପ୍ରଦାନ କରାଯାଇଥିଲା। ଏନେଇ ଏମ୍‌ସ ଭୁବନେଶ୍ୱର ନିର୍ଦ୍ଦେଶିକା ଗୀତାଞ୍ଜଳି ବଟମାନ୍‌ବେନ୍‌ କହିଛନ୍ତି, ଆଇଭରମେକ୍ଟିନର ଦୁଇ ଡୋଜ୍‌ ଦ୍ୱାରା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କା ୭୩ ପ୍ରତିଶତ କମିପାରୁଛି। ଏମ୍‌ସ ଭୁବନେଶ୍ୱରରେ ୪,୬୦୦ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ଏବେସୁଦ୍ଧା ୬୨୫ଜଣ କୋଭିଡ୍‌ରେ ସଂକ୍ରମିତ ହୋଇଛନ୍ତି। ତେବେ ୩୭୨ ଡାକ୍ତର, ନର୍ସ, ପାରାମେଡିକାଲ କର୍ମୀ ଏବଂ ସଫେଇ କର୍ମଚାରୀଙ୍କୁ ନେଇ ଏହି ମାସବ୍ୟାପୀ ଗବେଷଣା କରାଯାଇଥିଲା। କଣ୍ଟାକ୍ଟ ଟ୍ରେସିଂ ଅନୁଯାୟୀ କୋଭିଡ୍‌ରେ ସଂକ୍ରମିତ ହେବାର ଆଶଙ୍କା ଯେଉଁମାନଙ୍କର ଅଧିକ ରହିଥିଲା ସେମାନଙ୍କୁ ଏହି ଗବେଷଣାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପ୍ରାରମ୍ଭରେ ପ୍ରତିଦିନ ୨୦ରୁ ୨୫ଜଣ ସ୍ବାସ୍ଥ୍ୟକର୍ମୀ ଭୂତାଣୁ ସଂକ୍ରମିତ ହେଉଥିବାବେଳେ ଆଇଭରମେକ୍ଟିନ ନେବାପରେ ସଂକ୍ରମଣ ସଂଖ୍ୟା ପ୍ରତ୍ୟହ ଗୋଟିଏ କିମ୍ବା ଦୁଇଟିକୁ ଖସିଆସିଥିଲା। ଅପେକ୍ଷାକୃତ କମ୍‌ ଦାମରେ ମିଳୁଥିବା ଏହି ଔଷଧ ସାର୍‌ସ କୋଭ୍‌-୨ ଭାଇରସ୍‌ ବିରୋଧରେ ସଫଳ ସାବ୍ୟସ୍ତ ହୋଇଥିବାରୁ ଏମ୍‌ସ ପକ୍ଷରୁ ଏହାକୁ ବ୍ୟବହାର କରିବାକୁ ସ୍ଥିର କରାଯାଇଥିଲା ବୋଲି ବଟମାନବେନ୍‌ କହିଛନ୍ତି।

Share