ଆଜି ଆସୁଛନ୍ତି ଜେ.ପି. ନଡ୍ଡା, ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ରବିବାର ରାଜ୍ୟରେ ଭାଜପା ଓ କଂଗ୍ରେସର ଦୁଇ ହେଭିଓ୍ବେଟ ନେତା ନିର୍ବାଚନ ପ୍ରଚାର କରିବେ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବେଳେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ମଧ୍ୟ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ପୂର୍ବାହ୍ନ ୧୧ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଟକର ସତ୍ୟଭାମାପୁର ଯିବେ। ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସତ୍ୟଭାମାପୁରରୁ ହେଲିକପ୍ଟର ଯୋଗେ ସାଲେପୁର ଯିବେ। ମଧ୍ୟାହ୍ନ ୧୨ଟା ୨୫ରୁ ୧ଟା ୪୫ ଯାଏ ସାଲେପୁରରେ ସାଧାରଣ ସଭାରେ ଯୋଗଦେବେ। ଏହାପରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ରବିବାର ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅପରାହ୍ନ ୪ଟା ୩୦ରେ ପହଞ୍ଚିବେ। ବିମାନବନ୍ଦରରୁ ସିଧାସଳଖ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ଯିବେ। ସାଢ଼େ ୫ଟାରେ ଆମ୍ବପୁଆଠାରେ ସାଧାରଣ ସଭାରେ ସେ ଯୋଗଦେବେ। ସନ୍ଧ୍ୟା ୬ଟା ୪୫ ମିନିଟରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟର କାର୍ଯ୍ୟକର୍ତ୍ତାମାନେ ଯୋଗଦେବେ। ନଡ୍ଡା ବ୍ରହ୍ମପୁରରେ ରାତ୍ରିଯାପନ କରି ସୋମବାର ସକାଳେ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି।

ଗୋଟିଏ ଦିନରେ ନଡ୍ଡା ଓ ରାହୁଲ ପ୍ରଚାର ମଇଦାନକୁ ଓହ୍ଲାଇଥିବାରୁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଦୁଇ ହେଭିୱେଟ ନେତା ଓଡ଼ିଶା ଆସୁଥିବାରୁ କଂଗ୍ରେସ ଓ ଭାଜପା ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି।

Share