Categories: ଜାତୀୟ

ଶୃଗାଳଙ୍କର ମଧ୍ୟ କିଛି ଭଲ ଗୁଣ ଅଛି , କଂଗ୍ରେସ ନେତା ଏଏପିକୁ କଲେ ଆକ୍ଷେପ: ବିରୋଧୀ ଏକତାରେ ଫାଟ…

ନୂଆଦିଲ୍ଲୀ,୫।୮ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ବିରୋଧୀ ଦଳ ଏକଜୁଟ ହେବାକୁ ଚେଷ୍ଟା କରୁଥିବାବେଳେ ଆମ ଆଦମୀ ପାର୍ଟି (ଏଏପି) ସହିତ ମିଳିତ ମଞ୍ଚକୁ ନେଇ କଂଗ୍ରେସରେ ଅସନ୍ତୋଷ ରହିଛି। ବର୍ତ୍ତମାନ ଦିଲ୍ଲୀ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷୀତଙ୍କ ପୁଅ ସନ୍ଦୀପ ଦୀକ୍ଷିତ କହିଛନ୍ତି ଶୃଗାଳଙ୍କ ଅପେକ୍ଷା ଏଏପି ଖରାପ। ତେଣୁ ଇଣ୍ଡିଆ (ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୂକ୍ତ ଆଲାଇନ୍ସ) ରେ ଏଏପିର ଯୋଗଦେବାକୁ ନେଇ ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ନେତା ଦୀକ୍ଷିତ କହିଛନ୍ତି ଜମ୍ମୁ-କଶ୍ମୀରର ୟୁନିଅନ ଟେରିଟୋରୀ ସ୍ଥିତି ସହିତ ଅନ୍ୟ କେତେକ ପ୍ରସଙ୍ଗକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦଳର ଦୃଷ୍ଟିକୋଣ ବିଷୟରେ କଂଗ୍ରେସ ପଚାରିବା ଉଚିତ ଥିଲା।

ପଞ୍ଜାବ କଂଗ୍ରେସ ୟୁନିଟ ଏଏପି ସହିତ କୌଣସି ମେଣ୍ଟ ବିରୋଧେସେ୍‌ ସ୍ବର ଉତ୍ତୋଳନ କରିବାର ଦିନକ ପରେ ଦୀକ୍ଷୀତଙ୍କ ମନ୍ତବ୍ୟ ଆସିଛି ଏବଂ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏହା ବିଷୟରେ ଅବଗତ କରାଯିବ ବୋଲି ମତପୋଷଣ କରିଛନ୍ତି।
ଯେତେବେଳେ ଇଣ୍ଡିଆ ମିଳିତ ମେଣ୍ଟରେ କଂଗ୍ରେସ ସହଯୋଗୀ ଦଳଙ୍କ ବିଷୟରେ ପଚରାଗଲା, ଦୀକ୍ଷିତ କହିଛନ୍ତି ଯେଉଁ ଜଙ୍ଗଲରେ ସିଂହ ଏବଂ ହାତୀ ବାସ କରନ୍ତି, ସେଠାରେ ଶୃଗାଳ ମଧ୍ୟ ରହିଥାନ୍ତି। ମୁଁ ଶୃଗାଳଙ୍କୁ ଏଏପି ସହିତ ତୁଳନା କରିବି ନାହିଁ। କାରଣ ଶୃଗାଳଙ୍କଠାରେ କିଛି ଭଲ ଗୁଣ ଥାଏ। ମାତ୍ର ଏଏପି ପାଖରେ ତାହା ମଧ୍ୟ ନାହିଁ । ଏପରି ଦଳଠାରୁ ଦୂରେଇ ରହିବା ଆବଶ୍ୟକ।

Share