ଜ୍ୟାକଲିନ୍‌ଙ୍କୁ ବିଦେଶ ଯିବାକୁ ମିଳିଲାନି ଅନୁମତି

ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ବିଦେଶ ଯିବାକୁ ଅନୁମତି ମିଳିନାହିଁ। ସେ ଅସୁସ୍ଥ ମା’ଙ୍କୁ ଦେଖିବାକୁ ବାହାରିନ୍‌ ଯିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି, ପ୍ରଥମେ ଅଭିଯୋଗଗୁଡିକ ଫ୍ରେମ କରାଯାଉ। ଏହା ପରେ ଜ୍ୟାକଲିନ ବିଦେଶ ଯିବାକୁ ଆବେଦନ ପ୍ରତ୍ୟାହାର କରିନେଇଲେ।
କୋର୍ଟ କହିଛନ୍ତି, ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଅଛି। ଆମେ ବୁଝିପାରୁଛୁ ଯେ ଏହା ଆପଣଙ୍କ ପାଇଁ ଏକ ଭାବପ୍ରବଣ ବିଷୟ। ପ୍ରଥମେ ଚାର୍ଜଗୁଡିକ ଫ୍ରେମ କରାଯାଉ। ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ।
ଗତ ଏକ ବର୍ଷ ଧରି ଜ୍ୟାକଲିନ ଫର୍ନାଣ୍ଡିଜ୍‌ଙ୍କ ନାମ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ରହିଛି। ଉଭୟଙ୍କ ବ୍ୟକ୍ତିଗତ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଚୋରା ଚାଲାଣ ଏବଂ ଟଙ୍କା ହେରଫେର ମାମଲାରେ ଗିରଫ କରାଯାଇଥିଲା। ଗତ ଅଗଷ୍ଟ ୧୭ରେ ଦାଖଲ ହୋଇଥିବା ଚାର୍ଜସିଟରେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବରେ ନାମିତ କରିଥିଲେ। ଏଥିରେ ଅଭିନେତ୍ରୀ ନୋରା ଫତେହିର ନାମ ମଧ୍ୟ ସାମିଲ ଥିଲା। ଇଡି ଅନୁଯାୟୀ, ଜ୍ୟାକ୍‌ଲିନ୍‌ ଏବଂ ନୋରା ଫତେହି ଚନ୍ଦ୍ରଶେଖରଙ୍କଠାରୁ ମହଙ୍ଗା କାର ଏବଂ ଅନ୍ୟାନ୍ୟ ଉପହାର ନେଇଥିଲେ।

Share