ଜ୍ୟାକଲିନଙ୍କୁ ଜାମିନ

ମୁମ୍ବାଇ,୧୫ ।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ମିଳିଛି ଆଶ୍ୱସ୍ତି । କୋର୍ଟ ପକ୍ଷରୁ ତାଙ୍କୁ ମଙ୍ଗଳବାର ଅର୍ଥାତ୍ ୧୫ ନଭେମ୍ବରରେ ୨ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ସହ ଜାମିନ ମିଳିଛି । ଏହାସହ କୋର୍ଟ ସର୍ତ୍ତ ରଖିଛନ୍ତି ଯେ ଅଭିନେତ୍ରୀ କୋର୍ଟର ବିନା ଅନୁମତିରେ ଦେଶ ବାହାରକୁ ଯାଇ ପାରିବେ ନାହିଁ ।
ସୂଚନାଯୋଗ୍ୟ, ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାର ଯାଞ୍ଚ ସମୟରେ ଜ୍ୟାକଲିନଙ୍କ ନାମ ଆସିବା ପରେ ଅଡୁଆରେ ପଡି ଯାଇଥିଲେ ଅଭିନେତ୍ରୀ । ଜ୍ୟାକଲିନ ସୁକେଶଙ୍କଠାରୁ ବହୁ ଦାମୀ ଉପହାର ନେଇଥିବା ଜଣାପଡିଥିଲା । ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନଙ୍କୁ ଜଣେ ଅଭିଯୁକ୍ତ ଭାବେ ତା’ର ଚାର୍ଜସିଟରେ ଦର୍ଶାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା କି ସେ ଠକଙ୍କ ଟଙ୍କାର ଲାଭାର୍ଥି ଥିଲେ ।
ଜ୍ୟାକଲିନ ଏହି ମାମଲାରେ ଜାମିନ ଆବେଦନ କରିିବା ବେଳେ ଇଡି ଏହାକୁ ବିରୋଧ କରିଥିଲା । ଯେଉଁଥିରେ ଦର୍ଶାଯାଇଥିଲା କି ଯାଞ୍ଚରୁ ବଞ୍ଚିବା ପାଇଁ ଜ୍ୟାକଲିନ ଦେଶ ବାହାରକୁ ଚାଲିଯାଇପାରନ୍ତି । ଇଡି ଅଭିଯୋଗ କରିଥିଲା କି ଅଭିନେତ୍ରୀ ମଉଜମସ୍ତି ପାଇଁ ୭.୧୪ କୋଟି ଟଙ୍କା ଉଡାଇ ଦେଇଛନ୍ତି । ସେ ଦେଶ ବାହାରକୁ ଚାଲିଯିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି କାହିଁକିନା ତାଙ୍କ ନିକଟରେ ଯଥେଷ୍ଟ ଅର୍ଥ ରହିଛି ।

Share