ଜ୍ୟାକ୍‌ଲିନଙ୍କୁ ଇଡିର ଜେରା

ନୂଆଦିଲ୍ଲୀ, ୨୮।୬: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ନାଣ୍ଡିଜ୍‌ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟାଳୟରେ ହାଜର ହୋଇଛନ୍ତି। କନ୍‌ ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକ୍‌ଲିନ୍‌ଙ୍କୁ ଜେରା କରିଛି। ଏ ମାମଲାରେ ଜ୍ୟାକଲିନଙ୍କୁ ୨ରୁ ୩ ଥର ଇଡି ପଚରାଉଚରା କରିସାରିଛି। ଏପ୍ରିଲରେ ଇଡି ଜ୍ୟାକଲିନଙ୍କ ୧୫ ଲକ୍ଷ କ୍ୟାସ୍‌ ସହିତ ୭.୧୨ କୋଟି ଫିକ୍ସ ଡିପୋଜିଟ୍‌କୁ ମନିଲଣ୍ଡରିଂ ଆକ୍ଟ ଅଧୀନରେ ବାଜ୍ୟାପ୍ତ କରିଥିଲା। ସୁକେଶ ଜ୍ୟାକ୍‌ଲିନଙ୍କୁ ବିଭିନ୍ନ ସମୟରେ ଏକାଧିକ ଉପହାର ଦେଇଥିବାବେଳେ ଉପହାରଗୁଡ଼କିର ମୂଲ୍ୟ ୫.୭୧ କୋଟି ହୋଇଥିବା ଏଜେନ୍ସି ପକ୍ଷରୁ କୁହାଯାଇଛି। ସୁକେଶ ତାଙ୍କ ସହଯୋଗୀ ପିଙ୍କି ଇରାନୀଙ୍କ ସହାୟତାରେ ଗିଫ୍ଟ ସବୁ ଜ୍ୟାକ୍‌ଲିନଙ୍କ ପାଖରେ ପହଞ୍ଚାଉଥିଲେ। ଉପହାର ଛଡ଼ା ଜ୍ୟାକ୍‌ଲିନଙ୍କୁ ନେଇ ଏକ ଓ୍ବେବ୍‌ ସିରିଜ୍‌ ତିଆରି କରିବା ପାଇଁ ଜଣେ ସ୍କ୍ରିପ୍ଟ ରାଇଟରଙ୍କୁ ସୁକେଶ ୧୫ ଲକ୍ଷ ଟଙ୍କା ଦେଇଥିବା ଇଡି କହିଛି। ଫୋରଟିସ୍‌ ହେଲ୍‌ଥ କେୟାର ପ୍ରମୋଟର ଶିଭିନ୍ଦର ମୋହନ ସିଂଙ୍କ ସ୍ତ୍ରୀ ଆଦିତୀ ସିଂଙ୍କ ସମେତ ବହୁ ଧନୀ ବ୍ୟବସାୟୀଙ୍କଠାରୁ କୋଟି କୋଟି ଟଙ୍କା ହଡ଼ପ କରି ସୁକେଶ ବଲିଉଡ୍‌ ନାୟିକାଙ୍କୁ ଉପହାର ଦେଉଥିବା ଇଡି ଅଭିଯୋଗ କରିଛି।

Share