ଫିଟୁଛି ଜାକଲିନ୍‌ଙ୍କ ଗୁମର

ବଲିଉଡ୍‌ ଅଭିନେତ୍ରୀ ଜାକଲିନ୍‌ ଫର୍ନାଡିଜ୍‌ ଅଡୁଆରେ ଫସିଯାଇଛନ୍ତି। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସେ ଇଡି ସ୍କାନରରେ ଅଛନ୍ତି। ପୂର୍ବରୁ ଅକ୍ଟୋବର ମାସରେ ଏହି ମନି ଲଣ୍ଡରିଂ ମାମଲାରେ ଜାକଲିନ ଫର୍ଣ୍ଣାଡିଜ ଏବଂ ଅଭିନେତ୍ରୀ ନୋରା ଫତେହି ଜେରାର ସମ୍ମୁଖୀନ ହୋଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ହୋଇଥିବା ବେଳେ ତାଙ୍କ ସହ ଅପରାଧିକ କାର୍ଯ୍ୟକଳାପରେ ଜାକଲିନ ଫର୍ଣ୍ଣାଡିଜ ଏବଂ ନୋରା ଫତେହି ସମ୍ପୃକ୍ତ ଥିବା ଅଭିଯୋଗ ଆସିଥିଲା।
ଚାର୍ଜସିଟରେ ଅନୁସନ୍ଧାନକାରୀ ସଂସ୍ଥା କହିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୧୦ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଛନ୍ତି। ସେଥିରେ ୫୨ ଲକ୍ଷ ମୂଲ୍ୟର ଘୋଡା ଏବଂ ୯ ଲକ୍ଷ ପାର୍ସୀ ବିଲେଇ, ଅଳଙ୍କାର, ହୀରା-ଷ୍ଟୁଡେଡ ଅଳଙ୍କାର ସେଟ ଉଲ୍ଲେଖ କରାଯାଇଛି। କେବଳ ଏତିକି ନୁହେଁ, ଚାର୍ଜସିଟରେ ନୋରା ଫତେହିଙ୍କୁ କୋଟି କୋଟି ମୂଲ୍ୟର ଉପହାର ମଧ୍ୟ ଉଲ୍ଲେଖ କରାଯାଇଛି।
ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ସ୍ତ୍ରୀ ଲୀନା ପଲଙ୍କ ବିରୋଧରେ ଚାଲିଥିବା ଆର୍ଥିକ ଠକେଇ ମାମଲା ସହ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଟାର୍ଗେଟରେ ଅଭିନେତ୍ରୀ ନୋରା ଫତେହୀ ଥିଲେ। ସେ ସୁକେଶଙ୍କଠାରୁ ନୋରା ଏକ ବିଏମଡବ୍ଲୁ କାର ଉପହାରରେ ନେଇଥିବା କଥା ସାମ୍ନାକୁ ଆସିଥିଲା। ସୁକେଶ କରିଥିବା ୨୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ନୋରାଙ୍କ ସମ୍ପୃକ୍ତି ନେଇ ଖବର ଆସିବା ପରେ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା। ଫଟୋରେ ସେ ଏକ ବିଏମଡବ୍ଲୁ କାର ଆଗରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। କାରଟି ସୁକେଶ ଉପହାରରେ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସେହିପରି ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ପୁର୍ବରୁ ଅନ୍ୟଜଣେ ବଲିଉଡ ଅଭିନେତ୍ରୀ ୟାମୀ ଗୌତମଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପଚରାଉଚୁରା କରିଥିଲା। ଏବେ ଏହି ଘୋଟାଲାରେ ବଲିଉଡ ତାରକାଙ୍କ ତାଲିକା ଲମ୍ବି ଚାଲିଛି।

Share