ଅବୁଝା ଜ୍ୟାକଲିନ୍‌

ନିକଟରେ ଜ୍ୟାକଲିନ୍‌ ଫର୍ନାଡିଜ୍‌ଙ୍କୁ ଜଣେ ନବାଗତ ପ୍ରଯୋଜକ ତାଙ୍କର ଆଗାମୀ ଫିଲ୍ମରେ ସାଇନ୍‌ କରିବାକୁ ଇଚ୍ଛାପ୍ରକାଶ କରିଥିଲେ। ଯେତେବେଳେ ପ୍ରଯୋଜକଙ୍କ ସହ ଭେଟ ହେଲା, ସେତେବେଳେ ଦୁହେଁ ଫିଲ୍ମର କାହାଣୀ ଏବଂ ସେଥିରେ ନିଜ ଭୂମିକା ବିଷୟରେ ବିଶଦ ଭାବରେ ବୁଝି ନେଇଥିଲେ ଏହି ଅଭିନେତ୍ରୀ। କିନ୍ତୁ କିଛିଦିନ ପରେ କାହାଣୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। କେବଳ ସେତିକି ନୁହେଁ, ଜ୍ୟାକଲିନ୍‌ ଅଭିନୟ କରିବାକୁ ଥିବା ଭୂମିକାରେ କେତୋଟି ବୋଲ୍ଡ ଶଟ୍‌ ଯୋଗ କରାଯାଇଥିଲା। ଏକଥା ଜାଣିବା ପରେ ପ୍ରଯୋଜକଙ୍କୁ ଯୋଗାଯୋଗ କରିଥିଲେ ଜ୍ୟାକଲିନ୍‌। ଶେଷରେ ଦୁହିଁଙ୍କ ଭିତରେ ବେଶ୍‌ କେତେଥର ଆଲୋଚନା ହେବା ପରେ ଏହି ଘଟଣାର ମଧୁରେଣ ସମାପୟେତ ଘଟିଛି। ଏ ସମ୍ପର୍କରେ ଜ୍ୟାକଲିନ୍‌ କହନ୍ତି, ‘ମୋ ଭୂମିକାରେ କିଛି ବୋଲ୍ଡ ଶଟ୍‌ ରହିବ ବୋଲି ଜାଣିବା ପରେ ମୋର ଟେନ୍‌ସନ ବଢ଼ିଯାଇଥିଲା। ତା’ପରେ ପ୍ରଯୋଜକଙ୍କ ସହ ଆଲୋଚନା କରିବା ପରେ ତାହାକୁ ନେଇ ମୋ ସହ ପ୍ରଯୋଜକ ଆଲୋଚନା କରିଥିଲେ। ଶେଷରେ ମୋ କଥା ହିଁ ରହିଲା। ମୋ ଭୂମିକାରେ କିଛି ପରବର୍ତ୍ତନ କରାଯାଇଛି। ତା’ସହ ମୋତେ ମାତ୍ର ଦୁଇଟି ବୋଲ୍ଡ ଶଟ୍‌ ଦେବାକୁ ପଡିବ, ଯାହାର କାହାଣୀ ସହ ସମ୍ପର୍କ ରହିଛି। ଏ ନେଇ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ସହ ବିଶଦ ଭାବରେ ଆଲୋଚନା କରିବା ପରେ ମୋ ମନରେ ଉଙ୍କିମାରିଥିବା ସନ୍ଦେହ ଦୂର ହୋଇଥିଲା। ବର୍ତ୍ତମାନ ଆମ ଭିତରେ କୌଣସି ମନୋମାଳିନ୍ୟ ନାହିଁ। ଏହି ଫିଲ୍ମର ପ୍ରାରମ୍ଭିକ କାମ ଚାଲୁ ରହିଛି। ଖୁବ୍‌ଶୀଘ୍ର ଟାଇଟଲ ଫାଇନାଲ ହୋଇ ଶୁଟିଂ ଆରମ୍ଭ ହୋଇଯିବ।’

Share