ସୁକେଶଙ୍କ ସହ ବନ୍ଧୁତା ମୋ କ୍ୟାରିୟରକୁ ନଷ୍ଟ କରିଦେଲା, ଜୀବନକୁ ନର୍କ କରିଦେଲା: ଜ୍ୟାକଲିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଜବରଦସ୍ତ ଆଦାୟ ମାମଲାରେ ବୁଧବାର ଦିଲ୍ଲୀର ଏକ ଅଦାଲତରେ କହିଛନ୍ତି ସୁକେଶ ଚନ୍ଦ୍ରଶେଖର ତାଙ୍କ ଭାବନା ସହ ଖେଲିଛନ୍ତି । ସୁକେଶଙ୍କ ସହ ତାଙ୍କର ବନ୍ଧୁତା ତାଙ୍କ ଜୀବନକୁ ନର୍କ କରିଦେଇଛି । ପଟିଆଲା ହାଉସ କୋର୍ଟରେ ଚାଲିଥିବା ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଦାବି କରିଛନ୍ତି ଯେ ସୁକେଶଙ୍କ ସହଯୋଗୀ ପିଙ୍କି ଇରାନୀ ନିଜକୁ ଜଣେ ସରକାରୀ ଅଧିକାରୀ ଭାବେ ଉପସ୍ଥାପନ କରିଥିଲେ ଓ ତାଙ୍କୁ କହିଥିଲେ କି ସେ ତାଙ୍କୁ କାରରେ ବୁଲାଇ ନେଇଯାଉଛନ୍ତି । ଜ୍ୟାକଲିନଙ୍କ ବୟାନ ଅନୁଯାୟୀ ଚନ୍ଦ୍ରଶଖର ନିଜକୁ ସନ ଟିଭିର ମାଲିକ କହିବା ସହ ସେ ଦାବି କରିଥିଲେ କି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ. ଜୟାଲଳିଥା ତାଙ୍କର ମାଉସି ଥିଲେ ।
ଜ୍ୟାକଲିନ କହିଛନ୍ତି, ସୁକେଶ ମୋତେ କହିଥିଲେ ଯେ ସେ ତାଙ୍କର ଜଣେ ବଡ ପ୍ରଶଂସକ, ଆଉ ମୋତେ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିବା ଦରକାର । ତାଙ୍କ ନିକଟରେ ବହୁତ ପ୍ରୋଜେକ୍ଟ ରହିଛି । ସେ କହିଥିଲେ ଆମେ ଦକ୍ଷିଣ ଭାରତୀୟ ଫିଲ୍ମରେ ମିଳିମିଶି କାମ କରିବାକୁ ଚେଷ୍ଟା କରିବା । ଅଭିନେତ୍ରୀ କହିଛନ୍ତି ସୁକେଶ ମୋତେ ଠକିଛନ୍ତି, ମୋର କ୍ୟାରିୟର ଓ ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି । ହେଲେ ମୋତେ ପରେ ଜଣାପଡିଥିଲା କି ଗୃହ ଓ ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଭାବେ ପରିଚୟ ଦେଇଥିବା ଅପରାଧରେ ଚନ୍ଦ୍ରଶେଖରଙ୍କୁ ଗିରଫ କରାଯାଇଥିଲା ।
ଜ୍ୟାକଲିନ ଦାବି କରିଛନ୍ତିି ସେ ସୁକଶେଙ୍କ ସମ୍ପର୍କରେ ସେତେବେଳେ ଜାଣିଥିଲେ ଯେତେବେଳେ ସେ ତାଙ୍କ ଅପରାଧିକ ପୃଷ୍ଠଭୂମି ବିଷୟରେ ଜାଣିଥିଲେ । ଅଭିନେତ୍ରୀ କହିଛନ୍ତି ପିଙ୍କି ଇରାନୀ ତାଙ୍କୁ ଧୋକା ଦେଇଛନ୍ତି । କାରଣ ସେ ସୁକଶେଙ୍କ ସମ୍ପର୍କରେ ସବୁକଥା ଜାଣିଥିଲେ ମଧ୍ୟ ତାଙ୍କୁ ସେ ସମ୍ପର୍କରେ କିଛି କହି ନ ଥିଲେ ।

Share