Categories: ଖେଳ

ବଡ଼ ରେକର୍ଡ ହାସଲ କଲେ ଜାଡେଜା

ଇନ୍ଦୋର,୧।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବ୍ୟକ୍ତିଗତ ସଫଳତା ହାସଲ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୫୦୦ ଉଇକେଟ ପୂରଣ କରିଥିଲେ। ଦ୍ୱିତୀୟ ଭାରତୀୟ କ୍ରିକେଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ସେ ୫୦୦ ଉଇକେଟ ନେଇଛନ୍ତି ଏବଂ ୫୦୦୦ ହଜାର ରନ ସ୍କୋର କରିଛନ୍ତି। ଏହି ପ୍ରସଙ୍ଗରେ ସେ ଭାରତର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ସହ ସମକକ୍ଷ ହୋଇଛନ୍ତି।
ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ଦ୍ୱିତୀୟ ଓଭର ବୋଲିଂ କରିବାକୁ ଆସି ରବିନ୍ଦ୍ର ଜାଡେଜା କଙ୍ଗାରୁ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କ ଉଇକେଟ୍‌ ନେଇଥିଲେ। ଏହିପରି ଭାବରେ ରବିନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୫୦୦ତମ ଉଇକେଟ ସମାପ୍ତ କରିଥିଲେ।
ଜାଡେଜା ଏପର୍ଯ୍ୟନ୍ତ ଭାରତ ପାଇଁ ୧୭୧ଟି ଦିନିକିଆ ଏବଂ ୬୪ ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଏବେ ସେ ତାଙ୍କ କ୍ୟାରିୟରର ୬୩ତମ ଟେଷ୍ଟ ଖେଳୁଛନ୍ତି। ଜାଡେଜା ଟେଷ୍ଟରେ ୨୬୦ ଉଇକେଟ ନେଇଛନ୍ତି (ଇନ୍ଦୋର ଟେଷ୍ଟର ପ୍ରଥମ ଇନିଂସ ପର୍ଯ୍ୟନ୍ତ)। ଏଥି ସହିତ ସେ ଦିନିକିଆ କ୍ରିକେଟ ରେ ୧୮୯ ଉଇକେଟ ଏବଂ ଟି-୨୦ରେ ୫୧ ଉଇକେଟ ନେଇଛନ୍ତି। ଏହାପୂର୍ବରୁ ଭାରତରୁ କପିଲ ଦେବ ଅନ୍ତର୍ଜାତୀୟ କ୍ରିକେଟରେ ୫୦୦ ଉଇକେଟ ଏବଂ ୫୦୦୦ ରନ ପୂରଣ କରିଥିଲେ।

Share