Categories: ଖେଳ

ଅଧିକ ନୋ ବଲ ପକାଇ ଅଡୁଆରେ ଜାଡେଜା, ବର୍ଷିଲେ ଗାଭାସ୍କର…

ଇନ୍ଦୋର,୨।୩ : ଚାରି ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୧୦୯ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଦିନରେ ପ୍ରଥମ ଇନିଂସରେ ଚାରି ୱିକେଟ ହରାଇ ୧୫୬ ରନ ସଂଗ୍ରହ କରି ୪୭ ରନ ଆଗୁଆ ରହିଥିଲା। ଭାରତୀୟ ବୋଲରମାନେ ପ୍ରଥମ ଦିନରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାର ଅନେକ ସୁଯୋଗ ପାଇଥିଲେ, କିନ୍ତୁ ଭାଗ୍ୟ ଟିମ ଇଣ୍ଡିଆ ସହିତ ନ ଥିଲା।
ଜାଡେଜା ପ୍ରଥମ ଦିନରେ ଅନେକ ନୋ ବଲ ବୋଲିଂ କରିଥିଲେ। ଥରେ ସେ ଲାବୁଶେନଙ୍କୁ ନୋ ବଲରେ ବୋଲ୍ଡ କରିଥିଲେ। ଜାଡେଜା ଟିମ ଇଣ୍ଡିଆ ପାଇଁ ଏକ ପ୍ରମୁଖ ଅଲରାଉଣ୍ଡର ଏବଂ ଆଘାତ ପ୍ରାପ୍ତ ଅବସ୍ଥରୁ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଅଧିନାୟକଙ୍କ ବିଶ୍ୱାସ ଅର୍ଜନ କରିଛନ୍ତି। ଗତ ବର୍ଷ ଆଣ୍ଠୁ ଅସ୍ତ୍ରୋପଚାର ପରେ ଜାଡେଜାଙ୍କୁ କ୍ରିକେଟ ଖେଳ ଠାରୁ ପାଞ୍ଚ ମାସ ଦୂରରେ ରହିବାକୁ ପଡିଲା ଏବଂ ଚଳିତ ବର୍ଷ ଜାନୁଆରୀରେ କ୍ରିକେଟକୁ ଫେରିବାର ସୁଯୋଗ ପାଇଥିଲେ। ଫେରିବା ପରେ ଜାଡେଜା ସୌରାଷ୍ଟ୍ର ପାଇଁ ରଣଜୀ ଟ୍ରଫି ମ୍ୟାଚରେ ଆଠଟି ୱିକେଟ ନେଇଥିଲେ। ଏହା ପରେ ସେ ବର୍ଡର-ଗାଭାସ୍କର ଟ୍ରଫିର ୨ଟି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିଚାର କରାଯାଇଥିଲା।

ଇନ୍ଦୋର ମ୍ୟାଚରେ ଜାଡେଜା ଅଧିକ ନୋ ବଲ ପକାଇ ଥିବାରୁ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ସୁନୀଲ ଗାଭାସ୍କର ଜାଡେଜାଙ୍କୁ କଡ଼ା ସମାଲୋଚନା କରି ତାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଏହା ଗ୍ରହଣୀୟ ନୁହେଁ। ଜଣେ ସ୍ପିନରଙ୍କ ପାଇଁ ଏହିପରି ନୋ-ବଲ ବୋଲିଂ କରିବା ଦ୍ୱାରା ଭାରତକୁ ବହୁମୂଲ୍ୟ ଦେବାକୁ ପଡିପାରେ। ଗାଭାସ୍କର ଏହା ମଧ୍ୟ କହିଛନ୍ତି -ଜାଡେଜା ଲାଇନ ପଛ ପଟରୁ ବୋଲିଂ କରିବା ଉଚିତ। ଏହା ଦ୍ୱାରା ସୁଫଳ ମିଳି ପାରିବ।

Share