‘ପୁଷ୍ପା’ ଷ୍ଟାଇଲ୍‌ରେ ସେଲିବ୍ରେଶନ୍‌ କଲେ ଜାଡେଜା, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୫।୨, ଲକ୍ଷ୍ନୌରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟି -୨୦ ମ୍ୟାଚରେ ଭାରତ ୬୨ ରନ୍‌ରେ ବିଜୟ ହାସଲ କରିଛି। ଏଥିସହ ଭାରତ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି। ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଇଥିବା ଉକ୍ତ ମ୍ୟାଚରେ ଇଶାନ କିଶନ ଓ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୨ ଉଇକେଟ ହରାଇ ୧୯୯ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ୬ ଉଇକେଟ ହରାଇ ୧୩୭ ରନ କରିବାକୁ ସକ୍ଷମ ହୋଇଥିଲା। ତେବେ ମ୍ୟାଚ୍‌ ମଝିରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଶ୍ରୀଲଙ୍କ ବ୍ୟାଟ୍ସମ୍ୟାନ୍‌ ଦୀନେଶ ଚାନ୍ଦିମାଲଙ୍କ ଉଇକେଟ ନେବା ପରେ ରବିନ୍ଦ୍ର ଜାଡେଜା ପୁଷ୍ପା ଶୈଳୀରେ ସେଲିବ୍ରେଶନ୍‌ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଚାନ୍ଦିମାଲ (୧୦) ଦଶମ ଓଭରରେ ଜାଡେଜାଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍‌ ହୋଇଥିଲେ। ଏହି ଉଇକେଟ୍‌ ନେବା ପରେ ଜାଡେଜା ପୁଷ୍ପା ଫିଲ୍ମର ସଂଳାପ ‘ମେନେ ଝୁକେଗା ନେହଁି’କୁ କପି କରୁଥିବା ଦେଖିବାକୁ ମିଳିଥିଲା। ଏହି ସଂଳାପଟି ଆଲୁ ଅର୍ଜୁନଙ୍କ ସୁପରହିଟ୍‌ ଫିଲ୍ମ ପୁଷ୍ପାରୁ ଆସିଛି।
ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୮୬ ଦିନ ପରେ ଟିମ ଇଣ୍ଡିଆକୁ ଫେରିଛନ୍ତି। ଗତ ନଭେମ୍ବରରେ ଜାଡେଜା ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ପରେ ଆହତ କାରଣରୁ ସେ ଦଳ ବାହାରେ ଥିଲେ। ସେ ଲକ୍ଷ୍ନୌ ଟି -୨୦ରୁ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଚାରି ଓଭରରେ ୨୮ ରନ ପାଇଁ ୧ ଉଇକେଟ ନେଇଥିଲେ। ୩୩ ବର୍ଷୀୟ ଜାଡେଜା ଟି-୨୦ ବ୍ୟତୀତ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ମାର୍ଚ୍ଚ ୪ରୁ ମୋହାଲିରେ ଆରମ୍ଭ ହେବ।

Share