Categories: ଖେଳ

ସ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ଜାଡେଜା: କହିଲେ, ସେ ମୋତେ…

ରାଜକୋଟ,୧୯।୨: ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର ଦିଆଯାଇଥିଲା। ସେ ଏହି ପୁରସ୍କାର ସ୍ତ୍ରୀ ରିଭାବାଙ୍କୁ ଉତ୍ସର୍ଗ କରିଛନ୍ତି। ଜାଡେଜା ଉଭୟ ବଲ ଏବଂ ବ୍ୟାଟ ସହିତ ଚମତ୍କାର କରିଥିଲେ। ମ୍ୟାଚର ପ୍ରଥମ ଇନିଂସରେ ୧୧୨ ରନର ଚମତ୍କାର ଇନିଂସ ଖେଳିଥିଲେ ଏବଂ ପରେ ବୋଲିଂରେ ମୋଟ ୭ ଉଇକେଟ ନେଇଥିଲେ। ନିକଟରେ ଜାଡେଜାଙ୍କ ପିତା ରିଭାବାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ତେବେ ସ୍ତ୍ରୀଙ୍କୁ ଏହି ପୁରସ୍କାର ଉତ୍ସର୍ଗ କରିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ।
ଭାରତୀୟ ଅଲରାଉଣ୍ଡର ଏହି ପୁରସ୍କାର ରିଭାବାଙ୍କୁ ଉତ୍ସର୍ଗ କରି କହିଛନ୍ତି, ସେ ତାଙ୍କୁ ଉତ୍ସାହିତ ରଖନ୍ତି ଏବଂ ମାନସିକ ସ୍ତରରେ ତାଙ୍କୁ ସମର୍ଥନ କରନ୍ତି। ନିଜ ସହର ରାଜକୋଟରେ ଖେଳାଯାଇଥିବା ଟେଷ୍ଟରେ ଜାଡେଜା ଦ୍ୱିତୀୟ ଭାରତୀୟ ଖେଳାଳି ହୋଇ ଶତକ ହାସଲ କରି ୫ ଉଇକେଟ ନେଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ପ୍ରଥମେ ଭାରତ ପାଇଁ ଏହି କୀର୍ତ୍ତିମାନ କରିଥିଲେ।
ବିସିସିଆଇର ଏକ ଭିଡିଓରେ ଜାଡେଜା କହିଛନ୍ତି, ଦ୍ୱିତୀୟ ଇନିଂସରେ ୫ ଉଇକେଟ ନେବା ଏକ ବିଶେଷ ଅନୁଭବ। ଆଉ ଏକ ଟେଷ୍ଟରେ ଶତକ ଓ ୫ ଉଇକେଟ ନେବା ମଧ୍ୟ ସ୍ବତନ୍ତ୍ର। ଏହା ମୋ ଘର ଗ୍ରାଉଣ୍ଡରେ ମ୍ୟାଚରେ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର ଜିତିବା ଏକ ବିଶେଷ ଅନୁଭୂତି। ମୁଁ ଏହି ପୁରସ୍କାରକୁ ମୋ ସ୍ତ୍ରୀଙ୍କୁ ଉତ୍ସର୍ଗ କରିବାକୁ ଚାହେଁ। ସେ ପରଦା ପଛରେ ମାନସିକ ସ୍ତରରେ କଠିନ ପରିଶ୍ରମ କରନ୍ତି। ସେ ମୋତେ ସବୁବେଳେ ଆତ୍ମବିଶ୍ୱାସ ଦିଅନ୍ତି।
ନିକଟରେ ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂ ଏକ ସାକ୍ଷାତକାରରେ କହିଥିଲେ, ଜାଡେଜା ଉପରେ ରିଭାବା ଯାଦୁ କରିଛନ୍ତି। ମୁଁ ସେମାନଙ୍କଠାରୁ ଅଲଗା ରୁହେ। ଏହା ପରେ ଜାଡେଜା ଏହାକୁ ଭିତ୍ତିହୀନ ବୋଲି ସଫେଇ ଦେଇଥିଲେ।

Share