Categories: ଖେଳ

ସ୍ତ୍ରୀଙ୍କ ସପକ୍ଷରେ ମତ ଦେଇ ଟ୍ରୋଲ ହେଲେ ଜାଡେଜା

ନୂଆଦିଲ୍ଲୀ,୨୮।୧୨: ଭାରତୀୟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜିକାଲି କ୍ରିକେଟ ଅପେକ୍ଷା ଅନ୍ୟ ଫିଲ୍ଡରେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ସେ ସ୍ତ୍ରୀ ରିଭାବାଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ରିଭାବା ଜାମନଗର ଉତ୍ତରରୁ ନିର୍ବାଚନ ଜିତି ଏବେ ବିଧାୟକ ଅଛନ୍ତି। ତେବେ ନିର୍ବାଚନ ଫଳାଫଳର କିଛି ଦିନ ପରେ ଜାଡେଜା ପୁଣି ଥରେ ଖବରରେ ଅଛନ୍ତି। ରିଭାବା ଏକ ସାକ୍ଷାତକାର ସମୟରେ ଆରଏସଏସ ଉପରେ ଏକ ମନ୍ତବ୍ୟ ଦେଇଥିଲେ। ଏହା ପରେ ଜାଡେଜା ରିଭାବା ମନ୍ତବ୍ୟକୁ ନେଇ ତାଙ୍କୁ ପ୍ରଶଂସା କରିଥିଲେ। ସେବେଠାରୁ ଭାରତୀୟ ଅଲରାଉଣ୍ଡର ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ।
ଏହା ପରେ ଜାଡେଜା ଟୁଇଟର୍‌ରେ ଏକ ରିଭାଭ ଆରଏସଏସ ଉପରେ ମନ୍ତବ୍ୟ ଦେଉଥିବା ଭିଡିଓ କ୍ଲିପ୍‌ ଶେୟାର କରି ଲେଖିଛନ୍ତି, ଆରଏସଏସ ହେଉଛି ଏକ ସଂଗଠନ ଯାହା ଦେଶପ୍ରେମ, ଜାତୀୟତା, ବଳିଦାନ ଏବଂ ଏକତା ଶିକ୍ଷା ଦିଏ। ଆରଏସଏସ ବିଷୟରେ ତୁମର ଜ୍ଞାନ ଦେଖି ବହୁତ ଭଲ ଲାଗିଲା। ଭାରତୀୟ ସଂସ୍କୃତିର ଆଦର୍ଶକୁ ପ୍ରୋତ୍ସାହିତ କରୁଥିବା ତଥା ଆମ ସମାଜର ମୂଲ୍ୟବୋଧକୁ ସମର୍ଥନ କରୁଥିବା ଏକ ସଂଗଠନ। ତୁମର ଜ୍ଞାନ ଏବଂ ପରିଶ୍ରମ ହିଁ ତୁମକୁ ଅନ୍ୟମାନଙ୍କଠାରୁ ପୃଥକ କରେ। ଏହାକୁ ଜାରି ରଖ।
ଏହା ପରେ ପ୍ରଶଂସକମାନେ ଜାଡେଜାଙ୍କୁ ଟ୍ରୋଲ କରି ଲେଖିଥିଲେ – ଜଣେ ଖେଳାଳି ହେବା, ଏକ ସଂସ୍ଥାକୁ ସମର୍ଥନ କରିବା ଆପଣଙ୍କ ପାଇଁ ଉପଯୁକ୍ତ ନୁହେଁ। ଏହା ବ୍ୟତୀତ କିଛି କଂଗ୍ରେସ ନେତା ମଧ୍ୟ ଜାଡେଜାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ବିସିସିଆଇକୁ ମଧ୍ୟ ଏହି ପ୍ରସଙ୍ଗରେ ଟାଣି ନେଇଛନ୍ତି। କଂଗ୍ରେସ ନେତା ରସିଦ ଅଲଭି କହିଛନ୍ତି – କ୍ରୀଡ଼ାପ୍ରେମୀଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ଇଡି ଏବଂ ଆୟକର ଭୟ ଯୋଗୁଁ ଭାଜପାକୁ ଖୁସି ରଖିବାକୁ ଚେଷ୍ଟା କରୁଛନ୍ତି।

Share