Categories: ଖେଳ

ସିଏସ୍‌କେ ଆଗରେ ମାଟି କାମୁଡିଲା ଆରସିବି

ମୁମ୍ବାଇ,୨୫।୪ : ଲଗାତାର ବିଜୟ ସହ ଟେବୁଲ ଟପରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମହେନ୍ଦ୍ର ସିଂ ଧୋନୀଙ୍କ ସିଏସ୍‌କେ ଆଗରେ ମାଟି କାମୁଡି ପକାଇଛି। ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ଆଗରେ ଆରସିବି ମାତ୍ର ୧୨୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ୬୯ ରନ୍‌ର ବଡ଼ ବିଜୟ ହାସଲ କରିଛି ସିଏସ୍‌କେ। ବୋଲିଂ ହେଉ କି ବ୍ୟାଟିଂ କି ଫିଲ୍ଡିଂରେ ସବୁ ଥିରେ ଛାଇ ହୋଇ ରହିଥିଲେ ରବୀନ୍ଦ୍ର ଜାଡେଜା। ଗୋଟିଏ ଓଭରରେ ୫ ଛକା ସହ ଜାଡେଜା ବିସ୍ଫୋରକ ୬୮ ରନ୍‌ର ଇନିଂସ ଖେଳିଥିଲେ। ବୋଲିଂରେ ଗୋଟିଏ ମେଡେନ ଓଭର ସହ ହାତେଇଥିଲେ ୩ ଉଇକେଟ। ଫିଲ୍ଡିଂ ଦ୍ୱାରା ମଧ୍ୟ ପ୍ରଭାବିତ କରିଥିଲେ ମ୍ୟାଚ୍‌କୁ। ଏହି ବିଜୟ ସହ ଚେନ୍ନାଇ ସୁପର କିଙ୍ଗ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ ଶୋଚନୀୟ ପରାଜୟ ବରଣ କରିଥିବା ଆରସିବି ଖସିଛି ଦ୍ୱିତୀୟ ସ୍ଥାନକୁ।

ଟସ୍‌ ଜିତି ଧୋନୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ସଭିଙ୍କୁ ଚମକାଇ ଦେଇଥିଲେ। କାରଣ ଏପର୍ଯ୍ୟନ୍ତ ଓ୍ବାଙ୍ଖଡେରେ ଟସ୍‌ ଜିତି ଥିବା କୌଣସି ଦଳ ପ୍ରଥମେ ବ୍ୟାଟିଂ କରି ନାହିଁ। କିନ୍ତୁ ପିଚ୍‌ ଧିମା ହେବ ଓ ଶେଷ ଆଡ଼କୁ ରନ୍‌ କରିବା କଷ୍ଟକର ହୋଇପଡ଼ିବ ବୋଲି ଟସ୍‌ ବେଳେ କହିଥିଲେ ଧୋନୀ।

ଫାଫ ଡୁ’ ପ୍ଲେସି (୫୦) ଓ ଋତୁରାଜ ଗାଏକ୍ୱାଡ (୩୩)ଙ୍କ ଯୋଡ଼ି ୯ ଓଭରରେ ୭୪ ରନ୍‌ ଯୋଡ଼ିଥିଲେ। ଦୁହେଁ ଆଉଟ୍‌ ହେବା ପରେ ମ୍ୟାଚ୍‌କୁ ଫେରିଥିଲା ବିରାଟ କୋହଲିଙ୍କ ଦଳ। କିନ୍ତୁ ହର୍ଶଲ ପଟେଲଙ୍କ ଅନ୍ତିମ ଓଭରରେ ୩୭ ରନ୍‌ ଲଗାଇଥିଲେ ଜାଡେଜା। ତାଙ୍କ ୬୨ (୫ ଛକା ଓ ୪ ଚୌକା) ରନ୍‌ର ଅପରାଜିତ ଇନିଂସ ଯୋଗୁ ସିଏସ୍‌କେ ପୂରା ୨୦ ଓଭରରେ ୪ ଉଇକେଟ ହରାଇ ୧୯୧ ରନ କରିଥିଲା । ଜବାବରେ ଆରସିବିକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ଦେବଦତ୍ତ ପାଡିକଲ (୩୪ ରନ୍‌, ୪ ଚୌକା ଓ ୨ ଛକା)। କିନ୍ତୁ ଫେଲ୍‌ ମାରିଥିଲେ କୋହଲି (୮), ଗ୍ଲେନ ମ୍ୟାକ୍ସଓ୍ବେଲ (୨୨) ଓ ଏବି ଡି’ଭିଲିୟର୍ସ (୪)। ଫଳରେ ଆରସିବି ୯ ଉଇକେଟ ହରାଇ ୧୨୨ ରନ୍‌ କରିପାରି ଥିଲା।

Share