ପରଲୋକରେ ଯାତ୍ରା କିମ୍ବଦନ୍ତୀ ଯଦୁ ପଣ୍ଡା

ସୋର, ୯ା୨(ଡି.ଏନ.ଏ.): ଦୀର୍ଘ ୬ଦଶନ୍ଧି ଧରି ଓଡ଼ିଆ ଯାତ୍ରା ଜଗତର ଆଗଧାଡ଼ିର କଳାକାର ଭାବେ ନେତୃତ୍ୱ ନେଇଥିବା କିମ୍ବଦନ୍ତୀ ପୁରୁଷ ଯଦୁ ପଣ୍ଡା(୮୩)ଙ୍କର ବୁଧବାର ଅପରାହ୍ନରେ ସୋର ବ୍ଲକ ମହୁମୁହାଣ ଶାସନସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ ଦୁର୍ଘଟଣାର ଶିକାର ହେବା ପରେ ଦୀର୍ଘ ୬ବର୍ଷ ଧରି ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ମାତ୍ରେ ସମଗ୍ର ଯାତ୍ରାଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଛନ୍ତି।

ସ୍ବର୍ଗତ ପଣ୍ଡାଙ୍କ ପିତା କାଶୀନାଥ ପଣ୍ଡା ଓ ଆଙ୍ଗୁଳା କୃଷ୍ଣଚନ୍ଦ୍ର ଜେନାଙ୍କ ପରିଚାଳନାରେ ଗଢ଼ି ଉଠିଥିବା ଯାତ୍ରାପାର୍ଟିରେ ଓସ୍ତାଦ୍‌୍‌ ବିଦ୍ୟାଧର ଜେନା ଓ କୃଷ୍ଣପ୍ରସାଦ ବେହେରାଙ୍କ ନିର୍ଦ୍ଦେଶନାରେ ଶିଶୁ ଅଭିନେତା ଭାବେ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ନଗେଶପୁର ଯାତ୍ରାପାର୍ଟିରେ ଯୋଗଦାନ କରି ମୁଖ୍ୟନାୟକ ଭୂମିକାକୁ ଉନ୍ନୀତ ହୋଇଥିଲେ। ମାତ୍ର ୧୬ ବର୍ଷ ବୟସରେ ‘ଝାନସୀ ରାଣୀ’ ନାଟକରେ ଇଂରେଜ ସାହେବ, ‘ସମ୍ରାଟ ଅଶୋକ’ରେ ଅଶୋକଙ୍କ ପୁତ୍ର ମହେନ୍ଦ୍ର, ‘ବର୍ଗୀ ଉତ୍କଳ’ରେ ଦିବାକର (ମୁଖ୍ୟଚରିତ୍ର),‘ରକ୍ତ ଦିପାଳୀ’ରେ ଚନ୍ଦନ ଭଟ୍ଟ ଚରିତ୍ରରେ ଅଭିନୟ କରି ସଫଳତା ଲାଭ କରିଥିଲେ। ସେ ୧୯୭୪ମସିହାରେ ଓଡ଼ିଶା ଅପେରାରେ ଯୋଗଦେଲେ। ‘ସ୍ବର୍ଣ୍ଣ ମନ୍ଦିର ଇନ୍ଦିରା’, ‘ଛବିରାଣୀ ହତ୍ୟାକାଣ୍ଡ’,‘ଡିସ୍କୋ ଡ୍ୟାନ୍ସ’ରେ ଡିସ୍କୋ ଡ୍ୟାନ୍ସର ଅଭିନୟ କରିଥିଲେ। ୧୯୮୨ ମସିହାରେ ଜନତା ପାର୍ଟିରେ ‘କଚ ଦେବଯାନୀ’, ‘ମା, ମାଟି ମମତା’, ‘ଉର୍ବଶୀ’ରେ ପାର୍ଥ’ ଭୂମିକାରେ ବିଶେଷ ସଫଳତା ଲାଭ କଲେ। ‘ତୁଳସୀ’ ଗଣନାଟ୍ୟରେ ‘ରାତି ନ’ରୁ ସକାଳ ଛ’, ‘ଯେ ପକ୍ଷୀ ଉଡ଼େ ଯେତେଦୂର’ ଅଭିନୟ କରି ବିଶେଷ ସଫଳତା ହାସଲ କରିଥିଲେ। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ୧୯୮୨ ମସିହାରେ ଯାତ୍ରା ନାୟିକା ମାଧବୀ ପଣ୍ଡାଙ୍କୁ ବିବାହ କରିଥିଲେ। ଶେଷରେ ‘ତାରିଣୀ’ ଗଣନାଟ୍ୟରେ ଦୀର୍ଘ ୪୦ ବର୍ଷର ଯାତ୍ରା ଜଗତରେ ଜଣେ ଆଗଧାଡ଼ିର କଳାକାର ଥାଇ ଅବସର ନେଲେ। ସେ କେବଳ ହିରୋ ଅଭିନୟ ନୁହେଁ ଜଣେ ଖଳନାୟକ ଏବଂ କମେଡ଼ି ଅଭିନେତା ଭାବେ ତାଙ୍କର ବେଶ୍‌ ସୁଖ୍ୟାତି ରହିଛି।