ଫୁଲବାଣୀ ଅଫିସ,୮।୧୧: କନ୍ଧମାଳ ଜିଲାର ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ଏବେ ଡାକ୍ତରଖାନା କ୍ୟାବିନ୍ରୁ ବାହାରି ଫୁଲବାଣୀ ସହରରେ ବୁଲୁଛି । ବଜାରରେ ଜଳଖିଆ ଖାଉଛି ା ବାପାଙ୍କ ହାତ ଧରି ଏ ଦୋକାନରୁ ସେ ଦୋକାନକୁ ଯାଉଛି। ସକାଳେ ଜଗାକୁ ଲୋକେ ଦେଖି ବହୁତ ଖୁସି ହେଉଥିଲେ ା ବାପା ଭୂୟାଁ କହଁରଙ୍କ ସହିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାହାରି ସେ ପ୍ରଥମେ ଗୋପବନ୍ଧୁ ଛକରେ ପହଞ୍ଚିଥିଲେ । ସେଠାରୁ ସେ ପୋଷ୍ଟ ଅଫିସ ଛକ ପଯର୍ୟନ୍ତ ଯାଇଥିଲା ା ରାସ୍ତା କଡ ଦୋକାନରୁ ଚପଲ କିଣିବା ପରେ ଅଟୋରେ ବସି ଉଭୟ ମେଡିକାଲ ଫେରିଥିଲେ ।
ସୁଚନାଯୋଗ୍ୟ, ଫିରିଙ୍ଗିଆ ବ୍ଲକ ମିଲୁପଦର ଗ୍ରାମର ଯୋଡାମୁଣ୍ଡ ଶିଶୁ ଜଗା କାଳିଆଙ୍କର ଶରୀରକୁ ଗତ ୨୦୧୭ ଅକ୍ଟୋବରରେ ଦୀଲ୍ଲୀର ଏମ୍ସଠାରେ ଅସ୍ତ୍ରୋପଚାର ଦ୍ୱାରା ଅଲଗା କରା ଯାଇଥିଲା । ସେତେବେଳେ ଏହା ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା । ସେଠାରେ ଦୀର୍ଘ ଦିନ ଚିକିତ୍ସା ପରେ ସେମାନଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା । ତେବେ ଦୁର୍ଭାଗ୍ୟବଶତଃ ଗତ ବର୍ଷ ନଭେମ୍ବର ୨୫ରେ କାଳିଆର ମୃତ୍ୟୁ ଘଟିଥିଲା । ଏହା ପରେ ଜଗାକୁ ଫୁଲବାଣୀ ନିଆ ଯାଇଥିଲା । ବର୍ତ୍ତମାନ ଜିଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗର ଏକ ସ୍ବତନ୍ତ୍ର କ୍ୟାବିନ୍ରେ ଜଗାର ଚିକିତ୍ସା ଚାଲିଛି।