ଭୁବନେଶ୍ୱର, ୭।୯ (ବ୍ୟୁରୋ): ଇମ୍ଫା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୨୦୨୧ ମସିହା ପାଇଁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ଘୋଷଣା ହୋଇଛି। କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ବରିଷ୍ଠ ଚିତ୍ରକର ଜଗଦୀଶ ଚନ୍ଦ୍ର କାନୁନ୍ଗୋ ଓ ପ୍ରସିଦ୍ଧ ଘୁମୁରା ଶିଳ୍ପୀ ଜୟନ୍ତ କୁମାର ବେହେରାଙ୍କୁ ଏହି ପୁରସ୍କାର ମିଳିବ। ପୁରସ୍କାର ସ୍ବରୂପ ପ୍ରତ୍ୟେକଙ୍କୁ ଦେଢଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ପୂର୍ବରୁ ଚଳିତ ବର୍ଷ ପାଇଁ ଶାରଳା ପୁରସ୍କାର ଘୋଷଣା ହୋଇ ସାରିଛି। କଥାକାର ପାରମିତା ଶତପଥୀ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ଶାରଳା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ଏହି ପୁରସ୍କାର କେବଳ ଇଲା ପଣ୍ଡାଙ୍କ ନାମରେ ନାମିତ ଥିବାବେଳେ ଚଳିତ ବର୍ଷଠାରୁ ଏଥିରେ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ନାମ ସଞ୍ଜୁକ୍ତ ହୋଇଛି। ସୂଚନାଯୋଗ୍ୟ, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ସ୍ବର୍ଗତ ଡ. ବଂଶୀଧର ପଣ୍ଡା ଓ ତାଙ୍କ ସ୍ତ୍ରୀ ସ୍ବର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲସ୍ ଆଣ୍ଡ୍ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୂଲ୍ୟରେ ୧୯୮୦ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଉଛି।