Categories: ଜାତୀୟ

ଜଗନ ମୋହନ ଓ୍ବାଇଏସ୍‌ଆର କଂଗ୍ରେସର ଆଜୀବନ ଅଧ୍ୟକ୍ଷ ନିର୍ବାଚିତ…

ହାଇଦ୍ରାବାଦ୍‌, ୯।୭ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀ ଶନିବାର ଓ୍ବାଇଏସ୍‌ଆର କଂଗ୍ରେସର ଆଜୀବନ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ସେ ଜୀବନସାରା ଓ୍ବାଇଏସ୍‌ଆର କଂଗ୍ରେସର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଅମରାବତୀରେ ଆୟୋଜିତ ଦଳର ଦୁଇ ଦିନିଆ ବୈଠକର ଶେଷ ଦିନରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଦୁଇ ଦିନିଆ ବୈଠକରେ ଦଳର ସମ୍ବିଧାନରେ ସଂଶୋଧନ କରାଯାଇଛି ଯାହା ଦ୍ୱାରା ଜଗନ ଆଜୀବନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇପାରିଛନ୍ତି।

ମାର୍ଚ୍ଚ ୨୦୧୧ରେ ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀ କଂଗ୍ରେସ ଛାଡିବା ପରେ ଓ୍ବାଇଏସ୍‌ଆର କଂଗ୍ରେସ ପ୍ରତିଷ୍ଠା କରିଥିଲେ। ଆରମ୍ଭରୁ ସେ ତାଙ୍କ ମାତା ବିଜୟମାଙ୍କ ସହ ଦଳର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ଜଗନ ମୋହନ ରେଡ୍ଡୀ ଶେଷ ଥର ପାଇଁ ୨୦୧୭ରେ ଦଳର ଅଧ୍ୟକ୍ଷ ଭାବରେ ନିବାର୍ଚିତ ହୋଇଥିଲେ।

ଏହାପୂର୍ବରୁ ତାଙ୍କ ମା ବିଜୟମା ଶୁକ୍ରବାର ଦଳର ସମ୍ମାନିତ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ ସେ ଝିଅ ଶର୍ମିଲାଙ୍କ ସହ ତେଲେଙ୍ଗାନାରେ କାମ କରିବାକୁ ଦଳୀୟ ପଦବୀ ଛାଡୁଛନ୍ତି। ଜଗମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ପଡୋଶୀ ତେଲେଙ୍ଗାନା ରାଜ୍ୟରେ ଓ୍ବାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟିର ନେତୃତ୍ୱ ନେଉଛନ୍ତି। ଦଳ ଛାଡିବାକୁ ନିଷ୍ପତ୍ତି ଘୋଷଣା କରି ବିଜୟମା କହିଥିଲେ ଯେ ମୁଁ ଜଗନ ମୋହନ ରେଡ୍ଡୀଙ୍କ ସହ ସବୁବେଳେ ଯୋଗାଯୋଗରେ ରହିବି। ମୁଁ ଜଣେ ମାତା ଭାବରେ ସର୍ବଦା ଜଗନଙ୍କ ନିକଟରେ ରହିବି। ବିଜୟମା କହିଛନ୍ତି, ପିତାଙ୍କ ଆଦର୍ଶକୁ ଆଗେଇ ନେବା ପାଇଁ ଶର୍ମିଲା ତେଲେଙ୍ଗାନାରେ ଏକାକୀ ଯୁଦ୍ଧ କରୁଛନ୍ତି। ମୁଁ ତାଙ୍କୁ ସମର୍ଥନ କରିବାକୁ ଚାହୁଁଛି ମୁଁ ଦୁଇଟି ରାଜନୈତିକ ଦଳର ସଦସ୍ୟ ହୋଇପାରିବି କି ନାହିଁ ଦ୍ୱନ୍ଦ୍ୱରେ ଥିଲି। ଓ୍ବାଇଏସ୍‌ଆର କଂଗ୍ରେସର ସମ୍ମାନିତ ଅଧ୍ୟକ୍ଷା ଭାବରେ କାର୍ଯ୍ୟ ଜାରି ରଖିବା ମୋ ପାଇଁ କଷ୍ଟକର ହେଉଛି।

ଗଣମାଧ୍ୟମ ଖବର ଅନୁସାରେ ସମ୍ପତ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ଜଗନ ମୋହନ ରେଡ୍ଡୀ ଏବଂ ତାଙ୍କ ଭଉଣୀ ଶର୍ମିଲାଙ୍କ ମଧ୍ୟରେ ବିବାଦ ରହିଛି। ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଏହା ପରେ ବିଜୟମା ତାଙ୍କ ପୁଅଠାରୁ ଦୂରେଇ ରହୁଥିଲେ।

ତେବେ ନିୟମ ଅନୁଯାୟୀ, ଜଗମୋହନ ଆଜୀବନ ଦଳର ମୁଖ୍ୟ ଭାବରେ ରଖିବା ପାଇଁ ଓ୍ବାଇଏସ୍‌ଆର କଂଗ୍ରେସକୁ ଭାରତର ନିର୍ବାଚନ ଆୟୋଗର ଅନୁମତି ନେବାକୁ ପଡିବ।

Share