ପୁରୀ,୧୮ା୭(ଅଜିତ୍ କୁମାର ମହାନ୍ତି)ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ ତିଥି ଅବସରରେ ବୁଧବାର ହରିଶୟନ ଏକାଦଶୀ ନୀତି ସମ୍ପନ୍ନ ହୋଇଛି। ପୌରାଣିକ କଥାବସ୍ତୁ ଅନୁଯାୟୀ ଏହି ଦିନଠାରୁ ଦୀର୍ଘ ୪ମାସ ପର୍ଯ୍ୟନ୍ତ ମହାପ୍ରଭୁ ଶୟନ କରିଥାନ୍ତି। ସେହିପରି ମହାପ୍ରଭୁଙ୍କ ଶୟନ କାଳ ସମୟରେ ଜ୍ୟୋତିଷ ଶାସ୍ତ୍ରମତେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ସମୟରେ କୌଣସି ଶୁଭକାର୍ଯ୍ୟ କରାଯାଏ ନାହିଁ। ତେଣୁ ବିବାହ, ବ୍ରତଘର ଆଦି କାର୍ଯ୍ୟ ଏହି ୪ମାସ ପର୍ଯ୍ୟନ୍ତ ହୋଇ ନ ଥାଏ। କାର୍ତ୍ତିକ ମାସ ଏକାଦଶୀ ପରେ ଠାକୁର ଶୟନରୁ ଉଠିଲେ ଶୁଭ କାର୍ଯ୍ୟ ହୋଇଥାଏ।
ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀକୁ ହରିଶୟନ ଏକାଦଶୀ ବୋଲି କୁହାଯାଏ। ଏହି ଦିନଠାରୁ ଦୀର୍ଘ ୪ମାସ ପର୍ଯ୍ୟନ୍ତ ମହାପ୍ରଭୁ ଶୟନ କରିଥାନ୍ତି। ଠାକୁରଙ୍କର ଏହି ଶୟନ କାଳରେ ବାନପ୍ରସ୍ତ, ଋଷି, ମୁନି, ସାଧୁସନ୍ଥ, ମହାପୁରୁଷ ଏବଂ ସନ୍ନ୍ୟାସ ଧର୍ମ ଆଚରଣ କରୁଥିବା ଲୋକେ ଚତୁର୍ମାସ୍ୟା ବ୍ରତ ପାଳନ କରନ୍ତି। ଗୋଟିଏ ସ୍ଥାନରେ ରହି ଶାସ୍ତ୍ର ମୁତାବକ ନିୟମ ପାଳନ କରି ଠାକୁରଙ୍କୁ ସ୍ମରଣ କରିଥାନ୍ତି। ତେବେ ଏକାଦଶୀ ଅବସରରେ ରଥରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ବିଳମ୍ବିତ ରାତିରେ ସୁନାବେଶ ମଇଲମ ହୋଇଥିଲା। ପରେ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ମଇଲମ ପରେ ଶୟନ ଠାକୁର ରଥ ଉପରକୁ ବିଜେ କରିଥିଲେ। ତିନିଜଣ ପୂଜାପଣ୍ଡା ସାମନ୍ତ ଶୟନ ଠାକୁର ତିନିମୂର୍ତ୍ତିି ସୁବର୍ଣ୍ଣ ପ୍ରତିମାଙ୍କୁ ରଥ ଉପରକୁ ଆଣିଥିଲେ। ତିନିମୂର୍ତ୍ତି ମଧ୍ୟରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଭୁବନେଶ୍ୱରୀ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଶ୍ରୀନାରାୟଣଙ୍କୁ ବିଜେ କରାଯାଇଥିଲା। ଶୟନ ଠାକୁର ରଥାରୂଢ଼ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଲାଗି ହେଲା ପରେ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ପରେ ସର୍ବାଙ୍ଗ, ନୂଆ ପତନି ଲୁଗା ଓ ମାଳଫୁଲ ଲାଗି ନୀତି ସମ୍ପନ୍ନ କରାଯାଇଥିଲା। ବଲ୍ଲଭ ବଡ଼ସିଂହାର ବେଶ ସମ୍ପନ୍ନ ହେବା ପରେ ପୂଜାପଣ୍ଡା ସାମନ୍ତମାନଙ୍କ ଦ୍ୱାରା ଷୋଡ଼ଶ ଉପଚାରରେ ବଲ୍ଲଭ ବଡ଼ସିଂହାର ଭୋଗ ପୂଜା ସମ୍ପନ୍ନ ପରେ ହରିଶୟନ ନୀତି ହୋଇଥିଲା। ଶୟନ ଠାକୁରମାନଙ୍କୁ ହାତରେ ବିଜେ କରାଇ ପୂଜାପଣ୍ଡା ସାମନ୍ତ ଭଣ୍ଡାର ଦୁଆର ନିକଟକୁ ନେଇଥିଲେ। ଭଣ୍ଡାର ଦୁଆରେ ବିଧି ମୁତାବକ ଶୟନ ନୀତି ଅନୁଷ୍ଠିତ ହୋଇଥିଲା। କୋଠ ସୁଆଁସିଆ ଦେଇଥିବା ତାଟ ପେଡ଼ି, ଦରଜିଙ୍କ ଶେଯ ଓ ତକିଆରେ ଠାକୁରଙ୍କୁ ଶୁଆଇ ଦିଆଯାଇଥିଲା। ମୁଦିରସ୍ତ ପ୍ରସାଦଲାଗି କରିବା ସହ ପୁଷ୍ପାଞ୍ଜଳି, କର୍ପୁର ଆଳତି, ସଞ୍ଜ ଆଳତି ଓ ବନ୍ଦାପନା ଆଦି କରିଥିଲେ। ପରେ ପେଡ଼ିକୁ ବନ୍ଦ କରାଯାଇଥିଲା। ସମସ୍ତେ ଆସିବା ପରେ ଶୟନ ଘରକୁ ବନ୍ଦ କରାଯାଇଥିଲା। ଆଷାଢ଼ ଦ୍ୱାଦଶୀ ତିଥିରେ ଗରୁଡ଼ ଶୟନ ନୀତି ଅନୁଷ୍ଠିତ ହେବ।