Advertisement

ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଦେଲେ ସାଂଘାତିକ ବୟାନ, ଡୁପ୍ଲିକେଟ ଚାବି ମିଛ…

ପୁରୀ,୧୬।୭: ରତ୍ନଭଣ୍ଡାର ଚାବି ନେଇ ସାଂଘାତିକ ବୟାନ ଦେଇଛନ୍ତି ଜଗନ୍ନାଥଙ୍କ ବାଡ଼ଗ୍ରାହୀ । ମଙ୍ଗଳବାର ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି କହିଛନ୍ତି, ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ ।

ଡୁପ୍ଲିକେଟ ଚାବି କଥା ମିଛ, ଯଦି ଡୁପ୍ଲିକେଟ ତେବେ ଖୋଲିଲାନି କାହିଁକି। ପ୍ରକୃତ କଥା ହେଲା, ସେ ତାଲାର ସେ ଚାବି ନୁହେଁ ବୋଲି ଜଗୁନି କହିଛନ୍ତି। ସେ ଆହୁରି କହିଛନ୍ତି, ରତ୍ନଭଣ୍ଡାର ଭିତରେ ଗୁପ୍ତଗୃହ ରହିଛି, ଗଣତି ମାସ ମାସ ଲାଗିବ। ଚାବିକୁ ଫୋପାଡ଼ି ଦେଇ ତତ୍କାଳୀନ ଜିଲାପାଳ ଡୁପ୍ଲିକେଟ ଚାବି କଥା କହିଛନ୍ତି। ସେତେବେଳର ଜିଲାପାଳ କହିଥିଲେ ଚାବି ହଜିଗଲା, ପୁଣି କହିଲେ ମିଳିଗଲା। ଭିତରେ ବିରାଟ ବଡ଼ ଅଘଟଣ ହୋଇଥିବାରୁ ସେ ଚାବି ଫିଙ୍ଗିଦେଇଛନ୍ତି। ଏହା ପଛରେ ବିରାଟ ରହସ୍ୟ ରହିଛି, ତେଣୁ ତଦନ୍ତ ହେବା ଦରକାର ବୋଲି ଜଗନ୍ନାଥଙ୍କ ବାଡଗ୍ରାହୀ କହିଛନ୍ତି।

ତେବେ ଗତକାଲି ପୁରୀ ରତ୍ନଭଣ୍ଡାର ଚାବିକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି, ପୂର୍ବରୁ ଡୁପ୍ଲିକେଟ ଚାବି ନେଇ ମିଛ କଥା କୁହାଯାଇଥିଲା, ତାହାର ନିଶ୍ଚିତ ତଦନ୍ତ ହେବ। ସେ ଚାବି କଥା କିଏ କାହିଁକି କହିଥିଲା ଏବଂ କିଏ କହିବା ପାଇଁ କହିଥିଲା ତାହାର ନିଶ୍ଚିତ ତଦନ୍ତ ହେବ।
ଅନ୍ୟପକ୍ଷରେ ଆମର ପ୍ରାଥମିକତା ଥିଲା ରତ୍ନଭଣ୍ଡାର ଖୋଲିବା। ରତ୍ନଭଣ୍ଡାର ଖୋଲିବା ପରେ ଖାଲି ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱର ଜଗନ୍ନାଥପ୍ରେମୀ ସନ୍ତୋଷବ୍ୟକ୍ତ କରିଛନ୍ତି। ଆମେ ନିଷ୍ପତ୍ତି ନେଇଥିଲୁ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବ। ତେଣୁ ଖୋଲାଗଲା। ଅଳଙ୍କାର ଗଣତି ମଣତି ସହ ଡାଟାବେସ କରାଯିବ, ସ୍ଥାୟୀ କାଟାଲଗ ହେବ। ଆଗାମୀ ଦିନରେ ଏସଓପି ଆଧାରରେ ଶୃଙ୍ଖଳାର ସହ ସବୁ କିଛି ହେବ’। ଚାବି କ’ଣ ଥିଲା, କ’ଣ ନ ଥିଲା, ସେ ବାବଦରେ ନିଶ୍ଚିତ ତଦନ୍ତ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share